ଭୁବନେଶ୍ଵର: ନିରବତା ସବୁଠୁ ବଡ଼ ଅସ୍ତ୍ର ବୋଲି କୁହାଯାଏ। ବେଳେ ବେଳେ ନିରବ ରହିବା ହିଁ ମଣିଷଙ୍କୁ ଅନେକ ସମସ୍ୟାରୁ ଆଶ୍ଵସ୍ତି ଦେଇଥାଏ। ହେଲେ ଏହି ‘ନିରବ’ ଶବ୍ଦ ବି ସମୟ ପଡ଼ିଲେ ମହଙ୍ଗା ପଡ଼ିଥାଏ। ନିରବ ରହି ଅଧିକ ଯନ୍ତ୍ରଣା ସହିଥିବା ମଣିଷ ମଧ୍ୟରୁ ଅନ୍ୟତମ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ତାଙ୍କର ଅହେତୁକ ନିରବତା ହିଁ ତାଙ୍କ ପଦ ଏବଂ ଗାରିମାକୁ କ୍ଷୁର୍ଣ୍ଣ କରିବା ସହ କଂଗ୍ରେସ ପାଇଁ ଘାତକ ସାଜିଥିଲା। ତେଣୁ ସ୍ଥାନ, କାଳ, ପାତ୍ର ଏବଂ ପରିସ୍ଥିତି ଅନୁସାରେ ମଣିଷଙ୍କୁ ନିରବ ରହିବାକୁ ପଡେ ଏବଂ ନିରବତା ଭଙ୍ଗ କରିବାକୁ ପଡ଼େ। କିନ୍ତୁ ଏହାର ସମସ୍ତ ବ୍ୟତିକ୍ରମ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଯେଉଁ ପ୍ରସଙ୍ଗରେ ତାଙ୍କୁ ମୁହଁ ଖୋଲିବା ଉଚିତ୍ ସେ ଖୋଲୁ ନାହାନ୍ତି। କେବଳ ଯେଉଁ ପ୍ରସଙ୍ଗରେ ଭୋଟ୍ ବ୍ୟାଙ୍କ ଦେଖା ଯାଉଛି ସେଥିରେ ଅନର୍ଗଳ ଭାଷଣ ଦେଇ ଚାଲୁଛନ୍ତି। ସଦ୍ୟତମ ଘଟଣାକ୍ରମକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି।
ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ୧୬ତମ ଦିନରେ ପହଞ୍ଚି ଯାଇଛି। ଦେଶର ଅନେକ ବର୍ଗରୁ ପହିଲମାନଙ୍କ ପ୍ରତି ସମର୍ଥନ ମିଳିବାରେ ଲାଗିଛି। କୃଷକ ସଂଗଠନର ହଜାର ହଜାର କୃଷକ ଜନ୍ତର ମନ୍ତରରେ ପହଞ୍ଚି ରେସଲରଙ୍କ ପ୍ରତି ଏକଜୁଟତା ପ୍ରଦର୍ଶନ କଲେଣି। ପ୍ରଥମରୁ ତ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ଏଫଆଇଆର ରୁଜୁ କରିନଥିଲା। ସୁପ୍ରିମକୋର୍ଟଙ୍କ ଛାଟ ପଡ଼ିବା ପରେ ଦିଲ୍ଲୀ ପୋଲିସ ବାଧ୍ୟ ବାଧକତାରେ ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ତଥା ବିଜେପି ସାଂସଦଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ସାମିଲ୍। ଯେଉଁ ରେସଲରମାନେ ଅଲିମ୍ପିକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ା ପରି ବିଶ୍ଵମଞ୍ଚରେ ପଦକ ଜିତି ଦେଶରକୁ ଗୌରବାନ୍ଵିତ କରିଛନ୍ତି, ଆଜି ସେହି ରେସଲରମାନେ ନ୍ୟାୟ ପାଇଁ ପୋଡିୟମରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ବିଡ଼ମ୍ବନାର ବିଷୟ ଏତେ ବଡ଼ ସମ୍ବେଦନଶୀଳ ମାମଲାରେ ନିରବଦ୍ରଷ୍ଟା ସାଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ରେଡ଼ିଓ କାର୍ଯ୍ୟକ୍ରମ ମନ କି ବାତ୍ କରୁଛନ୍ତି। ନିକଟରେ ଏହାର ୧୦୦ତମ ଏପିସୋଡ୍ ମଧ୍ୟ ପ୍ରସାରିତ ହୋଇଛି। ତେବେ ପ୍ରଧାନମନ୍ତ୍ରୀ କଣ ରେସଲରଙ୍କ ମନ କି ବାତ୍ ବୁଝି ପାରୁଛନ୍ତି। ନିର୍ବାଚନୀ ପ୍ରଚାର ଏବଂ ଅନେକ କାର୍ଯ୍ୟକ୍ରମରେ ଘଣ୍ଟା ଘଣ୍ଟା ଧରି ଭାଷଣ ଦେଉଥିବା ପ୍ରଧାନମନ୍ତ୍ରୀ କିନ୍ତୁ ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି। ଯେତେବେଳେ ଏହି ରେସଲରମାନେ ପଦକ ଜିତୁଛନ୍ତି, ସେହି ସମୟରେ କାଳ ବିଳମ୍ବ ନକରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଯେତେବେଳେ ଏହି ରେସଲରମାନେ ସଡ଼କରେ ନ୍ୟାୟର ଭିକ୍ଷା ମାଗୁଛନ୍ତି, ସେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରୁ ଶବ୍ଦଟିଏ ମଧ୍ୟ ବାହାରୁ ନାହିଁ। ଅଥଚ୍ ସେହି ସମାନ ସମୟରେ ବଡ଼ ବଡ଼ ନିର୍ବାଚନୀ ଭାଷଣ ଦେଇ ଚାଲିଛନ୍ତି।
ଜାତିଗତ ସଂରକ୍ଷଣ ଦାବିରେ ମଣିପୁରରେ ବ୍ୟାପକ ହିଂସା ଏବଂ ରକ୍ତାକ୍ତ ସଂଘର୍ଷ ଘଟିଛି। ହିଂସାଜନିତ ମୃତ୍ୟୁ ସଂଖ୍ୟା ୫୦ରୁ ଉର୍ଦ୍ଧ୍ଵ ହୋଇଛି। ଶତାଧିକ ଆହତଙ୍କ ଚିକିତ୍ସା ଜାରି ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟରେ ସେନା ଏବଂ ଆସାମ ରାଇଫଲ୍ସର ପାଖାପାଖି ୧୦ ହଜାର ସୈନିକଙ୍କୁ ମୁତୟନ କରାଯାଇଛି। ହିଂସାତ୍ମକ ଆନ୍ଦୋଳର ନିଆଁ ରାଜଧାନୀ ଇମ୍ଫାଲକୁ ବ୍ୟାପିବା ପରେ ରାଜ୍ୟ ସରକାର ଉପଦ୍ରବୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଣିପୁର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ତାହାର ସମାଧାନ କରିବାକୁ ସାମାଜିକ ମାନବାଧିକାର କର୍ମୀ ଇରୋମ ଶର୍ମିଲା ଅନୁରୋଧ କରିଛନ୍ତି। ସେହିପରି ପୁଲଓ୍ଵାମା ପ୍ରସଙ୍ଗରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅନେକ ସାଙ୍ଘାତିକ ତଥ୍ୟର ଖୁଲାସା କଲେ। ପ୍ରଧାନମନ୍ତ୍ରୀ ଏହା ଉପରେ ବିବୃତି ଦିଅନ୍ତୁ ବୋଲି ଅପିଲ୍ କଲେ।
ଏତେ ସବୁ ବଡ଼ ସମ୍ବେଦନଶୀଳ ଘଟଣାରେ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରବ ରହିଛନ୍ତି। ସେ ହିଣ୍ଡେନବର୍ଗ-ଆଦାନୀ ପ୍ରସଙ୍ଗ ହେଉ କି ଅର୍ଥନୀତି ବା ବେକାରୀ ଏମିତି ଦେଶର ଅନେକ ପ୍ରମୁଖ ପ୍ରସଙ୍ଗରେ ମୁହଁ ଖୋଲିବାକୁ ସତସାହାସ ଜୁଟାଇ ପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ। ଅଥଚ୍ ନିର୍ବାଚନ ପ୍ରଚାରରେ ଭାଷଣ ଦେବାକୁ ଥକୁ ନାହାନ୍ତି। ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିରବ ରହିବା କେତେ ଦୂର ସମୀଚିନ। ଦେଶକୁ ଗତ ଦୁଇ ଦଶନ୍ଧିରେ ଏମିତି ଦୁଇ ଜଣ ପ୍ରଧାନମନ୍ତ୍ରୀ ମିଳିଲେ ଜଣେ ମଉନ ରହି ରହି ପରିହାସର ପାତ୍ର ପାଲଟିଲେ ଏବଂ ଆଉ ଜଣେ ଭାଷଣ ଦେବାକୁ ଥକୁ ନାହାନ୍ତି, କିନ୍ତୁ ଅସଲ ପ୍ରସଙ୍ଗ ଏବଂ ସମସ୍ୟାରେ ମୁହଁ ଖୋଲି ପାରୁ ନାହାନ୍ତି।