ଭୁବନେଶ୍ବର: ବୁଧବାର ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତିନିଟି ଦୁର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ୫୭ ନମ୍ବର ଜାତୀୟ ରାଜପଥ ଆଦର୍ଶ ବିଦ୍ୟାଳୟ ନିକଟରେ ବସ୍ ସହ କାରର ମୁହାଁମୁହିଁ ଧକ୍କା ହେବା ଫଳରେ ଦମ୍ପତିଙ୍କ ମୃତ୍ୟୁଙ୍କ ମୃତ୍ୟୁ ଘଟିଛି । ବସ୍ଟି କାରକୁ ପିଟିବା ପରେ କାର ତଳେ ଚାପି ହୋଇ ରହିଯାଇଥିଲେ ସ୍ବାମୀ ଓ ସ୍ତ୍ରୀ । ଗାଡିକୁ ଓଲଟାଇ ଦମ୍ପତିଙ୍କ ମୃତଦେହ ବାହାର କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ।
ନବରଙ୍ଗପୁର ତାରାଗାଁ ଛକ ନିକଟରେ ବସ ଓଲଟିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା ଏସବିଟି ନାମକ ଘରୋଇ ବସ୍ ତାରାଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍ ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ସହିତ ବସ୍ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ସେହିଭଳି ଗଞ୍ଜାମ ଦିଗପହଣ୍ଡିରେ ବସ୍-ବାଇକ ମୁହାଁମୁହିଁ ଧକ୍କା ହେବା ପରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । କଇଠଖଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ନୂଆଗଡ ଗ୍ରାମର କୁରେଶୁ ପାତ୍ର । ସେ ମଧୁବନ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ସେ ବାଇକରେ ଯାଉଥିବାବେଳେ ବସ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।