Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ କୁଇଣ୍ଟାଲ ଗଞ୍ଜେଇ ଜବତ,ଗିରଫ୍ ୧୧ ମାଫିଆଙ୍କୁ ଥାନାରୁ ଛାଡ଼ିବା ଦାବିରେ ଥାନା ଘେରାଉ ଓ ରାସ୍ତା ଅବରୋଧ

ପାରଳାଖେମୁଣ୍ଡି:୧୯/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ ଘଟଣାରେ କିଛି ଲୋକଙ୍କୁ ଥାନାରେ ଅଟକ ରଖା ଯାଇଥିବା ପ୍ରତିବାଦରେ ଅଡବା ଥାନା ଘେରାଉ କଲେ ଶତାଧିକ ଗ୍ରାମବାସୀ l ସୋମବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ପୁଲିସ ଟିମ୍ ମିଳିତ ଭାବେ ଅଡବା ଥାନା ଅନ୍ତର୍ଗତ ଡେଙ୍ଗାସଖାଲ ପଞ୍ଚାୟତ ଅଧିନ ହାଡୁପଦର ଗ୍ରାମରେ ରାତି ଅଧରେ ଚଢ଼ାଉ କରି ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୧ ଜଣ ବ୍ୟକ୍ତିଙ୍କୁ ଅଡ଼ବା ଥାନାକୁ ଉଠାଇ ଆଣିଥିଲେ l ତେବେ ପୁଲିସ ଗ୍ରାମର ନିରୀହ ଲୋକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିବା ପ୍ରତିବାଦରେ ଆଜି ଦିନ ୧୨ଟାରେ ହାଡ଼ୁପଦର ଗ୍ରାମବାସୀ ଅଡବା ଥାନା ଘେରାଉ କରିବା ସହ ୩୨୬ ଜାତୀୟ ରାଜପଥ ଅବରୋଧ କରିଥିଲେ।ତୁରନ୍ତ ନିରୀହ ଲୋକଙ୍କୁ ଥାନାରୁ ଛାଡିବାକୁ ଦାବି କରିଥିଲେ ଗ୍ରାମବାସୀ। ଶେଷରେ କିଛି ନିର୍ବାଚ଼ିତ ଜନପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆପୋଷ ଆଲୋଚନା ହେବା ପରେ ଥାନାରେ ଅଟକ ରଖାଯାଇଥିବା ୧୧ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜେଇ ମାମଲାରେ ସମ୍ପୃକ୍ତ ନଥିବା ୩ ଜଣ ବ୍ୟକ୍ତିଙ୍କୁ ପୁଲିସ ଛାଡିବା ପରେ ୨ ଟା ୩୦ରେ ରାସ୍ତା ରୋକ ହଟିଥିଲା l ଅଡବା ଥାନାରେ ୩୨/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସଡିପିଓ ଅମିତାଭ ପଣ୍ଡା କହିଛନ୍ତି l ସୂଚନା ଥାଉକି ୨୦୨୨ ସେପ୍ଟେମ୍ବର ୧୩ରେ ଅଡବା ଥାନା ଅନ୍ତର୍ଗତ ଝରଣପୁର ଗାଁରେ ପୁଲିସ ଗଞ୍ଜେଇ ଗ୍ରାମରୁ ଜବତ କରିବା ସହ କିଛି ଲୋକଙ୍କୁ ଥାନାକୁ ଉଠାଇ ଆଣିବା ପରେ ଗ୍ରାମର ଲୋକ ଆସି ଅଡବା ଥାନା ଭିତରେ ପ୍ରବେଶ କରି ଘେରାଉ କରିବା ସହ ଭଙ୍ଗାରୁଜା କରିଥିଲେ ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ମଧ୍ଯ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories