ବିଜେପିର ଘୃଣା ଏବଂ ହିଂସାର ରାଜନୀତିରେ ଆଜି ଜଳୁଛି ମଣିପୁର: ରାହୁଲ


ନୂଆଦିଲ୍ଲୀ: ବିଜେପିର ଘୃଣା ଏବଂ ହିଂସାର ରାଜନୀତି କାରଣରୁ ମଣିପୁର ଆଜି ଜଳୁଛି। ସୋମବାର ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ପ୍ରଚାରରେ ବ୍ୟସ୍ତ। କର୍ଣ୍ଣାଟକରେ ଦୁର୍ନୀତି ଉପରେ ମୋଦୀଙ୍କ ନିରବତା ଉପରେ ମଧ୍ୟ ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶିନଗରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ବିଜେପିର ହିଂସାର ପରିଣାମ ସ୍ଵରୂପ ଆଜି ମଣିପୁର ଜଳୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତଙ୍କବାଦ ପ୍ରସଙ୍ଗରେ କଂଗ୍ରେସକୁ ଶିକ୍ଷା ଦେବାର କୌଣସି ଅଧିକାର ନାହିଁ। କଂଗ୍ରେସ ଆତଙ୍କବାଦ କାରଣରୁ ଦୁଇ ଜଣ ପ୍ରଧାନମନ୍ତ୍ରୀ ଏବଂ ହଜାର ସଂଖ୍ୟକ କର୍ମୀଙ୍କୁ ହରାଇଛି। ଆମ ପରିବାରର ଦୁଇ ସଦସ୍ୟ ଆତଙ୍କବାଦ କାରଣରୁ ସହିଦ ହେଲେ। ମୋଦୀ ଜୀ କଣ ଆପଣ ଆମକୁ ଆତଙ୍କବାଦ ବିଷୟରେ ଜ୍ଞାନ ଦେଉଛନ୍ତି।

ବିଜେପି ନେତୃତ୍ଵାଧୀନ କର୍ଣ୍ଣାଟକ ସରକାରକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, ଡବଲ ଇଞ୍ଜିନ ସରକାରର ପ୍ରତ୍ୟେକ ଇଞ୍ଜିନକୁ ରାଜ୍ୟରେ ୪୦ ପ୍ରତିଶତ କମିସନରୁ କେତେ ମିଳିଛି ? ଗତ ତିନି ବର୍ଷରେ କର୍ଣ୍ଣାଟକରେ ବିଜେପିର ସରକାର ଏବଂ ପ୍ରଧାନମନ୍ତ୍ରୀ ଏଠାକାର ଦୁର୍ନୀତି ସହ ଅବଗତ ଅଛନ୍ତି। ଆପଣ କେବଳ ଏହାକୁ ଡବଲ ଇଞ୍ଜିନର ସରକାର କହୁଛନ୍ତି। ଏଥର ଡବଲ ଇଞ୍ଜିନ ଚୋରି ହୋଇ ଯାଇଛି ବୋଲି ରାହୁଲ ତାର୍ତ୍ସଲ୍ୟ କରି କହିଛନ୍ତି।