ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ, ଦୁଇ ଗୁରୁତର


ଗଜପତି: ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଗାଁରେ ଅଭାବନୀୟ ଘଟଣା । ଅଙ୍ଗନବାଡି ଛତୁଆ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬ ବର୍ଷ । ଉଭୟ ନାବାଳିକାଙ୍କ ବାପା ଓ ଅନ୍ୟ ଜଣେ ଝିଅ ଗୁରୁତର ଥିବା ଜଣାପଡ଼ିଛି । ରାମଗିରି ହସ୍ବିଟାଲ ଓ ପାରଳାଖେମୁଣ୍ଡି ହସ୍ପିଟାଲରେ ଉଭୟ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଛି । ଗୁରୁତର ବାପା ଓ ଅନ୍ୟ ଜଣେ ଝିଅଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଢେମାକୁଡିଆ ଗାଁର ଅର୍ଜୁନ ବଦମୁଣ୍ଡିଙ୍କ ପରିବାର ଗତକାଲି ଅଙ୍ଗନବାଡିରୁ ମିଳିଥିବା ଛତୁଆ ଖାଇଥିଲେ । ଏହାପରେ ଅର୍ଜୁନଙ୍କ ସମେତ ୪ ଜଣ ଗୁରୁତର ହେବା ପରେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସଂଧ୍ୟାରେ ଜଣେ ଶିଶୁକନ୍ୟା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ମେଡିକାଲ୍ ପହଞ୍ଚିବା ବେଳେ ଆଉ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।