ମୁଖ୍ୟମନ୍ତ୍ରୀଙ୍କ କଂଗ୍ରେସକୁ ପ୍ରଶ୍ନ, ବିଜେଡିକୁ ନିଶାନା


ଭୁବନେଶ୍ବର: ଗୃହ ବିଭାଗ ଖର୍ଚ୍ଚ ଦାବି ବିବୃତି ବେଳେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଖୋଜି ପାଉ ନଥିବା କହିଛନ୍ତି ମୋହନ । ସେହିପରି ଗୃହ କମିଟିକୁ ନେଇ କଂଗ୍ରେସକୁ ମାରିଛନ୍ତି ପ୍ରଶ୍ନବାଣ ।

ମହୋନ କହିଛନ୍ତି, ବିରୋଧୀ କଂଗ୍ରେସ ଅଯଥା ଗୃହ କମିଟି ଦାବି କରୁଛି । ଏମିତି କ’ଣ ଘଟଣା ଘଟିଛି ଯେ, ଗୃହ କମିଟି ହେବ । ସର୍ବଦଳୀୟ ବୈଠକରେ ଏହାର ଆବଶ୍ୟକତା ନଥିବା ବିଜେଡି କହିଛି । ତା’ହେଲେ ଆଲୋଚନାକୁ କାହିଁକି ଆସିବେ ନାହିଁ । ଏହା କେଉଁ ପ୍ରକାର ରାଜନୀତି ବୋଲି ପ୍ରଶ୍ନ କରିଛନ୍ତି ମୋହନ ।

ଆଗକୁ ସେ କହିଛନ୍ତି, ମିଛ କହିବାର ଗୋଟେ ସୀମା ଅଛି । ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା କି ପ୍ରକାର ପରମ୍ପରା ? ଘଣ୍ଟା, ଗିନି, ତୁରୀ ଧରି କଳାପୋଷାକ ପିନ୍ଧି ପ୍ରତିବାଦ କରିବା, ଜଣେ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ତାଙ୍କ ମାଇକ ଭାଙ୍ଗିବା, କାଗଜ ଛଡ଼ାଇବା ପରି ଘଟଣା ଆଗରୁ ଗୃହରେ ଘଟି ନଥିଲା । ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ଏଥିସହ ବିରୋଧୀ, ମହିଳାଙ୍କୁ ରାଜନୀତିର ପଶାପାଲିରେ ବଳି ପକାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି । ଯେଉଁମାନେ ଘଣ୍ଟ ବାଡ଼ଉଛନ୍ତି ୧୯୮୦, ୧୯୯୫ କଥା ମନେ ପକାନ୍ତୁ । କଂଗ୍ରେସର ନାରୀ ସୁରକ୍ଷା ପ୍ରବଚନ ଆମକୁ ଦରକାର ନାହିଁ । କଂଗ୍ରେସର ସଭାପତି ନୂଆ ଆସିଛନ୍ତି, ଦଳକୁ ପୁନଃଜୀବିତ କରୁଛନ୍ତି ବୋଲି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଜେଡିକୁ ବି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଖୋଜିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ମୁଖ୍ୟମନ୍ତ୍ରୀ ଥିଲା ବେଳେ ଆମେ ଖୋଜିଥିଲୁ, ଏବେ ବି ଖୋଜି ପାଉନୁ । ସେତେବେଳେ ଆସି ଉତ୍ତର ରଖୁ ନଥିଲେ, ଏବେ ବିରୋଧୀ ଦଳ ନେତା ହେବା ପରେ ବି ଆସୁନାହାନ୍ତି । ଜଣେ ପୋଲିସ, କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କଲା କ’ଣ କରିଛ ବୋଲି ମୋହନ ପ୍ରଶ୍ନ କରିଛନ୍ତି । ସେହିପରି ମାହାଙ୍ଗା ଡବଲ ମର୍ଡର, ଈତିଶ୍ରୀ ମାମଲାରେ କ’ଣ କରିଛ ? ପରୀ-ସ୍ମିତାରାଣୀ-ମମିତା ଘଟଣାରେ କ’ଣ ନ୍ୟାୟ ଦେଇଛ ବୋଲି ପ୍ରଶ୍ନ କରିଥିଲେ ମୋହନ । ସେପଟେ ଏହାର ଜବାବ ରଖି ବିଜେଡି ଶାସକ ବିଜେପିକୁ ପାଲଟା ନିଶାନା କରିଛି । କଂଗ୍ରେସ ସହ ମିଶି ବିଜେପି ବଜେଟ୍ ଅଧିବେଶନକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିବା ବିଜେଡି ଅଭିଯୋଗ କରିଛି ।