ପ୍ରବଚନ ଦେଉଥିବା ବେଳେ ଷ୍ଟେଜରେ ପ୍ରବଚକଙ୍କ ମୃତ୍ୟୁ


ଭଦ୍ରକ: ଜୀବନର ଏକମାତ୍ର ସତ ମୃତ୍ୟୁ । ମୃତ୍ୟୁ କେତେବେଳେ କେଉଁ ପରିସ୍ଥିତିରେ ଓ କେଉଁ ରୂପରେ ଆସିବ ତାହା କାହାକୁ ଜଣାନାହିଁ । ଯାହା ଭଦ୍ରକରେ ଦେଖିବାକୁ ମିଳିଛି । ପ୍ରବଚନ ଦେଉଥିବା ବେଳେ ଷ୍ଟାଜ ଉପରେ ଟଳି ପଡ଼ିଲେ ପ୍ରବଚକ । ଆଉ ଚାଲିଗଲା ତାଙ୍କ ଜୀବନ ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତରେ ପ୍ରବଚନ ଦେଉଥିବା ବେଳେ ପ୍ରବଚକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଅଧ୍ୟାପକ ଗୋପାଳ ପ୍ରସାଦ ବେଜ । ସେ ରାମ ଚରିତ ମାନସ ପ୍ରବଚକ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ଘର ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରରେ ।

ସାହାଡା ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରବଚକ ଭାବରେ ଯୋଗ ଦେଇଥିଲେ ଅଧ୍ୟାପକ । ଗତକାଲି ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ସହଯୋଗୀମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବଚକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।