ବାପାମାଆ ଛେଉଣ୍ଡ ଆଶିଷ ୭ ଜଣଙ୍କୁ ଅଙ୍ଗଦାନ କରି ହୋଇଗଲେ ଅମର


ଭୁବନେଶ୍ବର: ଆଶିଷ ଛୁଆଳ ସିଂ । ବାପା ମାଆଙ୍କୁ ହରାଇବା ପରେ ଭଉଣୀ ଘରେ ରହି ପାଠ ପଢ଼ିଲେ । ଆଇଟିଆଇ ଫିଟରରେ ପଢ଼ା ସରିକା ପରେ ହାଲରେ ଆପ୍ରେଶ୍ଟିସିପ କରୁଥିଲେ । ହେଲେ ଦଇବର ବିଚାର ଥିଲା ଭିନ୍ନ । ବାପାମାଆଙ୍କ ପରି ତା’ ଖୁସି ବି ସହି ପାରି ନଥିଲା ଦଇବ । ଏକ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ । ଜୀବନ ସଂଗ୍ରାମରେ ହାରିଗଲେ । ହେଲେ ଯିବା ବେଳେ ଏମିତି କାମ କରିଗଲେ ଯେ, ମରି ମଧ୍ୟ ଅମର ହୋଇଗଲେ ।

ମୃତ୍ୟୁ ପରେ ଆଶିଷଙ୍କ ଅଙ୍ଗଦାନ କରିଛନ୍ତି ତାଙ୍କ ଭଉଣୀ । ଭାଇ ସିନା ଚାଲିଗଲା, ହେଲେ ଏବେ ତା’ର ସେହି ଅଙ୍ଗ ୭ ଜଣଙ୍କୁ ନୂଆ ଜୀବନ ଦେଇଛି । ସୁନାବେଡା ଡିପି କ୍ୟାମ୍ପର ଆଶିଷଙ୍କ ବାଇକ୍ ଏକ କାର ସହ ସୁନାବେଡା ବି ଜୋନ୍ ଗୋଲେଇ ଛକ ନିକଟରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଆଶିଷ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ‘ହାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୫ ତାରିଖ ବିଳମ୍ବିତ ରାତିରେ ଆଶିଷଙ୍କ ମୃତ୍ୟୁ ଘଟିଥିଲା ।

ପରିବାର ଲୋକ ବହୁ ପ୍ରୟାସ କରିଥିଲେ ବି ଆଶିଷଙ୍କୁ ବଞ୍ଚାଇ ପାରି ନଥିଲେ । ହେଲେ ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା ସମେତ ଅନ୍ୟ ରାଜ୍ୟର ୭ ରୋଗୀଙ୍କୁ ଅଙ୍ଗଦାନ କରିଥିଲେ ଆଶିଷ । ହୃତ୍‌ପିଣ୍ଡ, ବୃକ୍‌କ, ଯକୃତ, ଫୁସ୍‌ଫୁସ୍ ଓ ଅଗ୍ନାଶୟ ଭଳି ଅଙ୍ଗକୁ ବାହାର କରି ୭ ଗୁରୁତର ରୋଗୀଙ୍କୁ ପ୍ରଦାନ କରାଯାଇଥିଲା । ଆଶିଷ ନାହାନ୍ତି ସତ ହେଲେ ପ୍ରତିଟି ଅଙ୍ଗ ତାଙ୍କର ଅନ୍ୟ ୭ ଜଣଙ୍କୁ ଦେଇଛି ନୂଆ ଜୀବନ । ଆଶିଷଙ୍କ ଏହି ମହତ ଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ।