Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ହାରିଲେ ଅଟକିଯିବ ବିଜେପିର ମିଶନ ୨୦୨୪ ? ଦକ୍ଷିଣରେ ଶୂନ୍ୟକୁ ଖସିବାର ବିପଦ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ମେ ୧୩ ତାରିଖରେ ହେବାକୁ ଯାଉଛି। ବୁଧବାର ମତଦାନ ପରେ ସନ୍ଧ୍ୟାରେ ସମସ୍ତ ଜାତୀୟ ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ ଏକଜିଟ୍ ପୋଲ୍ ମଧ୍ୟ ସାମ୍ନାକୁ ଆସି ଯାଇଛି। ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା କିମ୍ବା ନିକଟତର ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିଜେପିକୁ ୨ଟି ଏକଜିଟ୍ ପୋଲରେ ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି। ଯଦି ଏକଜିଟ୍ ପୋଲ୍ ମେ ୧୩ ତାରିଖରେ ନିର୍ବାଚନ ଫଳାଫଳରେ ପରିଣତ ହୁଏ ତେବେ କଂଗ୍ରେସ ସରକାର ଗଠନ କରୁଥିବା ପ୍ରତୀତମାନ ହେଉଛି। ଯଦି ଏମିତି ହୁଏ ତେବେ ଏହା ଗେରୁଆ ଦଳର ମିଶନ ୨୦୨୪ ପାଇଁ ବଡ଼ ଝଟକାଠୁ କମ୍ ନୁହେଁ। ଦକ୍ଷିଣ ଭାରତରେ ବିଜେପି ପୂର୍ବରୁ ଦୁର୍ବଳ ରହିଛି। କେବଳ ଏକମାତ୍ର ରାଜ୍ୟ ଭାବେ କର୍ଣ୍ଣାଟକରେ ଦଳ ସରକାରରେ ରହିଛି, ଯାହା ଏବେ ହାତ ମୁଠାରୁ ଖସୁଥିବା ଦେଖା ଯାଉଛି। ଫଳରେ ବିଜେପିକୁ ଦକ୍ଷିଣ ଭାରତରେ ନିଜର ସ୍ଥିତି ବଜାୟ ରଖିବା ମୁସ୍କିଲ ହୋଇପାରେ।

ଦକ୍ଷିଣରେ ବିଜେପିର ସ୍ଥିତି କଣ ?
ସଂପ୍ରତି ଦେଶର ଉତ୍ତର, ପୂର୍ବ ଭାରତରେ ବିଜେପିର ସ୍ଥିତି ମଜବୁତ ରହିଛି, ହେଲେ ଏହାର ତୁଳନାରେ ଦକ୍ଷିଣରେ ଦଳ ବହୁତ ଦୁର୍ବଳ ରହିଛି। ଦକ୍ଷିଣ ଭାରତର ନିର୍ବାଚନ ସର୍ବଦା ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ରହି ଆସିଛି। କେବଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ବିଜେପି ନିଜର ପତିଆରା ବଢାଇବାକୁ ଉଦ୍ୟମ ଚଳାଇ ଆସିଛି। ମାତ୍ର ଦଳକୁ ସେହି ଅନୁରୂପ ପରିଣାମ ମିଳୁନାହିଁ। କେରଳରେ ଯେଉଁଠି ସିପିଆଇ ସରକାର ରହିଛି, ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ଓ୍ଵାଇଏସଆର ସରକାର। ତେଲଙ୍କାନାରେ କେସିଆର ମୁଖ୍ୟମନ୍ତ୍ରୀ ଅଛନ୍ତି। ତାମିଲନାଡ଼ୁରେ ଡିଏମକେ ସରକାର ରହିଛି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ମୋଟାମୋଟି କର୍ଣ୍ଣାଟକ ହିଁ ଏକ ମାତ୍ର ପ୍ରମୁଖ ରାଜ୍ୟ ଯେଉଁଠି ବିଜେପି କ୍ଷମତାରେ ରହିଛି। ମାତ୍ର ଏକଜିଟ୍ ପୋଲ୍ ମୁତାବକ ଏହି ରାଜ୍ୟରୁ ମଧ୍ୟ ବିଜେପି କ୍ଷମତାଚ୍ୟୁତ୍ ହେବାକୁ ଯାଉଛି।

ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତ ଉପରେ ବିଜେପିର ନଜର
୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପାଖାପାଖି ଆଉ ଗୋଟିଏ ବର୍ଷ ସମୟ ବାକି ରହିଛି। ଏଥର ପଞ୍ଜାବରେ ଶିରୋମଣି ଅକାଳି ଦଳ, ମହାରାଷ୍ଟ୍ରରେ ଶିବସେନା, ବିହାରରେ ଜେଡିୟୁ ଆଦି ସହଯୋଗୀ ଦଳ ଏନସଡିଏ ସହ ନାହାନ୍ତି। ଯେଉଁଥିରେ ବିଜେପିକୁ ବଡ଼ ଝଟକା ଲାଗିବାର ଆକଳନ କରାଯାଉଛି। ଏହା ବ୍ୟତୀତ ପଶ୍ଚିମବଙ୍ଗରେ ବିଜେପି ଗତ ଥର ଆଶାତୀତ ପ୍ରଦର୍ଶନ କରିଥିଲା, ମାତ୍ର ବିଧାନସଭା ନିର୍ବାଚନରେ ଦଳକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡ଼ିଛି। ତେଣୁ ଗତ ଲୋକସଭା ନିର୍ବାଚନର ଫଳାଫଳ ୨୦୨୪ରେ ଦୋହରାଇବା ବିଜେପି ପାଇଁ ବଡ଼ ଆହ୍ଵାନ ରହିଛି। ଏହି ସବୁ ରାଜ୍ୟଗୁଡ଼ିକର ସିଟ୍ ଭରଣା ପାଇଁ ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତି ଜାହିର କରିବାକୁ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଦଳ ଦକ୍ଷିଣର ଅନେକ ନେତାଙ୍କୁ ପାର୍ଟିରେ ସାମିଲ୍ କରାଇଛି। କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ୍ ଆଣ୍ଟୋନୀ, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀଙ୍କ ସମେତ ଅନେକ ନେତା ବିଜେପିରେ ଯୋଗ ଦେଇ ସାରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ, ବିଜେପି ଦଳର ନଜର ଦକ୍ଷିଣ ଭାରତ ଉପରେ ରହିଛି। ଏହା ବ୍ୟତୀତ କାଶୀ ତାମିଲ ସଙ୍ଗମ ପରି କାର‌୍ୟ୍ୟକ୍ରମ ଜରିଆରେ ମଧ୍ୟ ବିଜେପି ଦକ୍ଷିଣର ମତାଦାତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛି।

ଯଦି କର୍ଣ୍ଣାଟକରେ ବିଜେପିକୁ ପରାଜୟ ମିଳେ ଏବଂ ଦଳ କ୍ଷମତାରୁ ହଟେ ତେବେ ବିଜେପିକୁ ଦକ୍ଷିଣ ଭାରତ ମିଶନରେ ବଡ଼ ଝଟକା ଲାଗିବ। କାରଣ ଏହି ରାଜ୍ୟରେ ବିଜେପିର ବିଜୟର ପ୍ରଭାବ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ହାରିଲେ ବିରୋଧୀ ଦଳଗୁଡ଼ିକୁ ଦକ୍ଷିଣରେ ନିଜ ଗାଦି ସମ୍ଭାଳିବା ପାଇଁ ଅନୁକୂଳ ସ୍ଥିତି ମିଳିଯିବ। ଆଉ ବିଜେପି ଶୂନ୍ୟକୁ ଖସିଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ