Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶର ପ୍ରକୃତ ହିରୋ ତ CJI ଚନ୍ଦ୍ରଚୂଡ଼, ଦିଲ୍ଲୀବାସୀ ତାଙ୍କ ଆଗରେ ଆଜି ନତମସ୍ତକ: ଆପ୍

ନୂଆଦିଲ୍ଲୀ: ଅଫିସରଙ୍କ ଉପରେ ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆମ୍ ଆଦମୀ(ଆପ୍) ଅତି ଉତ୍ସାହିତ ହୋଇ ଉଠିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କଠୁ ନେଇ ତାଙ୍କ ମନ୍ତ୍ରୀ ଏବଂ ପାର୍ଟିର ନେତା କୋର୍ଟଙ୍କ ନିଷ୍ପତ୍ତିକୁ ନିଜର ବିଜୟ ବୋଲି କହିଛନ୍ତି। ଆପ୍ କୋର୍ଟଙ୍କ ନିଷ୍ପତ୍ତିକୁ ମୋଦୀ ସରକାରଙ୍କ ପାଇଁ ଶକ୍ତ ଚାପୁଡ଼ା ଦର୍ଶାଇବା ସହ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଆପ୍ ମୁଖପାତ୍ର ତଥା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ଵାଜ ସିଜେଆଇଙ୍କୁ ସବୁଠୁ ବଡ଼ ନାୟକ କହିଛନ୍ତି। ଆଗାମୀ ସମୟରେ ଜଜମାନଙ୍କ ଭୂମିକା ଉପରେ ଫିଲ୍ମ ମଧ୍ୟ ନିର୍ମାଣ ହେବ ବୋଲି ସେ କହିଛନ୍ତି।

ଭରଦ୍ଵାଜ କହିଛନ୍ତି, ଆମେ ଯେବେ ଛୋଟ ଥିଲୁ ଫିଲ୍ମରେ ଅମିତାଭ ବଚ୍ଚନ ପୋଲିସ ଇନ୍ସପେକ୍ଟର ହେଉଥିଲେ, ଏହା ଦେଖି ପିଲାମାନେ ପୋଲିସ ଇନ୍ସପେକ୍ଟର ହେବାର ସ୍ଵପ୍ନ ଦେଖୁଥିଲେ। କୌଣସି ଫିଲ୍ମରେ ଅନ୍ୟ ଅଭିନେତା ଡାକ୍ତର ହେଉଥିଲେ, ତେଣୁ ଡାକ୍ତର ହୋଇ କ୍ୟାରିୟର ଗଢିବୁ ବୋଲି ପିଲେ ଭାବୁଥିଲେ। ଆଉ ଏକ ଫିଲ୍ମରେ ଅଭିନେତା ଓକିଲ ହେବାରୁ ପିଲାମାନଙ୍କୁ ଲାଗିଲା ଆମକୁ ତ ଓକିଲ ହେବା ଉଚିତ୍। ଏଥିରେ ଦେଶକୁ ବଦଳା ଯାଇ ପାରିବ।

କେଜ୍ରିଓ୍ଵାଲଙ୍କ ମନ୍ତ୍ରୀ କହିଛନ୍ତି, ଆଜି ମୋତେ ଲାଗୁଛି ଦେଶରେ ଯେଉଁମାନେ ନ୍ୟାୟପାଳିକାକୁ ବୁଝି ପାରୁଛନ୍ତି ସେମାନେ ନିଶ୍ଚୟ କହିବେ ଯେ ଦେଶରେ କେହି ଯଦି ହିରୋ ଅଛନ୍ତି ସେ ହେଉଛନ୍ତି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼। ଏବେ ପିଲାମାନେ ଭାବିବେ ଯେ, ସେମାନଙ୍କୁ ଜଜ୍ ହେବାର ଅଛି। ସେହି ଦିନ ଆଉ ବେଶି ଦୂର ନୁହେଁ ଯେବେ ଚଳଚ୍ଚିତ୍ରଗୁଡ଼ିକରେ ଜଜଙ୍କ ଭୂମିକାରେ ନାୟକ ନଜର ଆସିବେ। ଆଜି ଦେଶକୁ ଜଣେ ବହୁବ ବଡ଼ ନାୟକ ରୂପେ ଚନ୍ଦ୍ରଚୂଡ ମିଳିଛନ୍ତି। ମୁଁ ଦିଲ୍ଲୀବାସୀଙ୍କ ତରଫରୁ ତାଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ପୀଠରେ ଯେଉଁ ୫ ବିଚାରପତି ଥିଲେ, ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଦିଲ୍ଲୀବାସୀ ଆଜି ସୁପ୍ରିମକୋର୍ଟଙ୍କ ଆଗରେ ନତମସ୍ତକ ବୋଲି ଭରଦ୍ଵାଜ କହିଛନ୍ତି।