Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀତୀଶଙ୍କ ଫର୍ମୁଲା ମାନି ନିଜର ଗଣିତ ବିଗାଡ଼ିବାକୁ ଚାହିଁଲେ ନାହିଁ ନବୀନ! ମେଣ୍ଟରେ ସାମିଲ୍ ନହେବା ପଛର କାରଣ କ’ଣ ?

ଭୁବନେଶ୍ଵର: ୨୦୨୧ରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ କହିଥିଲେ, ସାଧାରଣତଃ ଲୋକେ ଧନ, ବାହୁବଳ ଏବଂ ସମୟ ସହିତ ବଦଳି ଯାଆନ୍ତି। ମାତ୍ର ନବୀନ ବାବୁ ଆପଣ ବଦଳିଲେ ନାହିଁ। ନବୀନ ବାବୁ ଯାହାଙ୍କୁ ମୁଁ ୫୦ ବର୍ଷ ବୟସରେ ଦେଖିଥିଲି, ସେ ଆଜି ମଧ୍ୟ ସେମିତି ଅଛନ୍ତି। ଆପଣଙ୍କ ନିକଟରେ କୌଣସି ପରିବର୍ତ୍ତନ ମଧ୍ୟ ପରିଲଖିତ ହୋଇ ନାହିଁ। ସାଂପ୍ରତିକ ଘଟଣାକ୍ରମରୁ ଏହି ସଙ୍କେତ ମିଳୁଛି ଯେ, ନବୀନ ପଟ୍ଟନାୟକ ରାଜନୀତି କରିବାରେ ନିଜର ଶୈଳୀ ଏବଂ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ବୋଧହୁଏ ଏହି କାରଣରୁ ସେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମେଳି ବାନ୍ଧୁଥିବା ବିରୋଧୀ ମେଣ୍ଟରେ ସାମିଲ୍ ହେବାକୁ ମନା କରି ଦେଲେ। ତେବେ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ପଛରେ ଅନ୍ୟ କିଛି ରାଜନୈତିକ କାରଣ ଏବଂ ବିଚାର ରହିଛି।

ଓଡ଼ିଶା ପହଞ୍ଚି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପକୂଳବର୍ତ୍ତୀ ରାଜ୍ୟ ଏବଂ ନବୀନଙ୍କ ସହିତ ପୁରୁଣା ସଂପର୍କକୁ ତାଜା କରିବାରେ କୌଣସି ସୁଯୋଗ ହାତ ଛଡ଼ା କରିନଥିଲେଳ। ମାତ୍ର ନବୀନ ନିବାସରୁ ବାହାରିବା ଆସିବା ମାତ୍ରେ ସ୍ପଷ୍ଟ କରି ଦେଇଥିଲେ ଯେ, ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇ ନାହିଁ। ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଥିଲା।

ନବୀନ ମେଣ୍ଟରେ ସାମିଲ୍ ନ ହେବାର କାରଣ କଣ ?ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ହେଉଛି ୨୧। ବର୍ତ୍ତମାନ ୧୨ଟି ବିଜୁ ଜନତା ଦଳ, ୮ଟି ବିଜେପି ଏବଂ ୧ଟି ଆସନ କଂଗ୍ରେସ ହାତରେ ରହିଛି। କୁହାଯାଉଛି ମେଣ୍ଟରେ ଅଂଶ ହେବାକୁ ମନା କରିବାର ବଡ଼ କାରଣ ନବୀନ ପଟ୍ଟନାୟକ ବିଜେପି ଏବଂ କଂଗ୍ରେସଠୁ ସମଦୂରତା ନୀତି ବଜାୟ ରଖିବା ରହିଛି। ତେବେ ଜେଡିୟୁ ସୂତ୍ର ଅନୁଯାୟୀ, ଯଦି ନବୀନ ତୃତୀୟ ସାମ୍ମୁଖ୍ୟରେ ସାମିଲ୍ ହେବେ ତେବେ ରାଜ୍ୟରେ ଥିବା ବିଜେଡିର ମଜବୁତ ଜନାଧାର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିପାରେ ଏବଂ ଏହାର ଫାଇଦା ବିଜେପିକୁ ମିଳିପାରେ।

ଜେଡିୟୁର ଜଣେ ନେତାଙ୍କ ମତରେ, ନବୀନଙ୍କ ମନରେ ଜାତୀୟ ରାଜନୀତିକୁ ନେଇ କୌଣସି ମହତ୍ଵାକାଂକ୍ଷା ନାହିଁ। ଯଦି ସେ ବିରୋଧୀଙ୍କ ମେଣ୍ଟରେ ସାମିଲ୍ ହୋଇ ଯାଆନ୍ତି ତେବେ ଏହି ସନ୍ଦେଶ ଯାଇଥାନ୍ତା ଯେ, ବିଜେଡି କଂଗ୍ରେସ ତଳେ କାମ କରିବାକୁ ରାଜି ହୋଇ ଯାଇଛି। ଆଉ ଏହାର ଫାଇଦା ବିଜେପିକୁ ମିଳିଥାନ୍ତା। ବିଜେପି କଂଗ୍ରେସ ବିରୋଧୀ ବିଜେଡିର ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଥାନ୍ତା। ଆଉ ଏହାର କ୍ଷତି ନବୀନ ପଟ୍ଟନାୟକଙ୍କୁ ହୋଇଥାନ୍ତା। କାରଣ ଓଡ଼ିଶାରେ ବିଜେଡି ସଫଳ ହେବାର ଗୋଟିଏ କାରଣ ବିଜେପି ଏବଂ କଂଗ୍ରେସଠୁ ଦୂରେଇ ରହିବା ରହିଛି।

ଜେଡିୟୁ ନେତା କହିଛନ୍ତି, ଓଡ଼ିଶାରେ ୨୦୨୪ରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ନବୀନ ମେଣ୍ଟରେ ସାମିଲ୍ ହୋଇ କୌଣସି ରିସ୍କ ଉଠାଇବାକୁ ଚାହିଁ ନାହାନ୍ତି। ବିଜେପି ଏବଂ କଂଗ୍ରେସଠୁ ସମଦୂରତା ବଜାୟ ରଖିବା ନବୀନଙ୍କ ବଡ଼ ରଣନୀତି ବୋଲି ନୀତୀଶ କୁମାର ମଧ୍ୟ ଜାଣିଛନ୍ତି।

ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ନିଜର ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ବିଜୁ ଜନତା ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ। ଦଳ କୌଣସି ତୃତୀୟ ସାମ୍ମୁଖ୍ୟରେ ସାମିଲ୍ ହେବ ନାହିଁ। ନିଜର ସମଦୂରତା ନୀତି ବଜାୟ ରଖିବ। ନଅ ତାରିଖରେ ନୀତୀଶଙ୍କୁ ନବୀନ ନିବାସରେ ଭେଟିବା ପରେ ଏଗାର ତାରିଖରେ ମୋଦୀଙ୍କୁ ଭେଟିବା ପରେ ନବୀନଙ୍କ ଏହି ସ୍ପଷ୍ଟୋକ୍ତି ଗତକାଲି ସାମ୍ନାକୁ ଆସିଥିଲା।

କଣ ଥିଲା ନୀତୀଶ କୁମାରଙ୍କ ପ୍ରସ୍ତାବକୁହାଯାଉଛି ନୀତୀଶ କୁମାର ପ୍ରତ୍ୟେକ ଆସନରେ ସମସ୍ତ ବିରୋଧୀ ଦଳର ସମର୍ଥନରେ ଏକ ମିଳିତ ପ୍ରାର୍ଥୀ ଛିଡା କରାଇବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ନବୀନ ପଟ୍ଟନାୟକ ଅଗ୍ରାହ୍ୟ କରିଛନ୍ତି। ମେଣ୍ଟରେ ସାମିଲ୍ ହୋଇ ବିଜେଡି ରାଜ୍ୟରେ ନିଜର ଜନାଧାର ହରାଇବାକୁ ଉଚିତ୍ ମଣି ନାହିଁ। ତେଣୁ ୨୧ ଲୋକସଭା ବିଶିଷ୍ଟ ଓଡ଼ିଶାରେ ନୀତୀଶ କୁମାରଙ୍କୁ ସଫଳତା ମିଳିନାହିଁ। ନୀତୀଶ ୨୦୨୨ରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ଠୁ ଅଲଗା ହୋଇ ଯାଇଥିବା ବେଳେ ନବୀନ ପଟ୍ଟନାୟକ ୨୦୦୮ରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ରାଜ୍ୟରେ ବିଜୁ ଜନତା ଦଳ କ୍ଷମତାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ