Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଲାଞ୍ଜିଗଡ ବ୍ଲକ ଗସ୍ତ

କଳାହାଣ୍ଡି, ୨୨/୦୫-କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ଆଜି ଦିନିକିଆ ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଜିଲ୍ଲାର ଏକମାତ୍ର ବ୍ଲକ ଭାବେ ଲାଞ୍ଜିଗଡ଼ ବ୍ଲକର ୫ ହଜାରରୁ ଉର୍ଦ୍ଧ୍ଵ ଆଦିମ ଜନଜାତି ଶ୍ରେଣୀ ପରିବାରକୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଇଥିବାବେଳେ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହା ସାରିବାକୁ ଧାର୍ଯ୍ୟ କରାଯାଇଛି। ବ୍ଲକ ଅଞ୍ଚଳରେ ରାଜମିସ୍ତ୍ରୀ ଅଭାବ, ଘର ତିଆରି ଉପକରଣ ସିମେଣ୍ଟ, ଲୁହାରଡ଼ ଆଦି ପାଇଁ ନର୍ଲା, କେସିଙ୍ଗା ଓ ଭବାନୀପାଟଣା ଉପରେ ହିତାଧିକାରୀ ନିର୍ଭର କରୁଥିବାବେଳେ ବାଲି ପାଇଁ ବେଶ ହଇରାଣ ହେବାକୁ ପଡୁଛି। ସେହିପରି ସମସ୍ତ କାଗଜାତ ଠିକ ଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନମାନୀ ଯୋଗୁଁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏସବୁ ସମସ୍ୟା ଯୋଗୁଁ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଘର ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ସମୟରେ ଶେଷ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳରେ ଘର ତିଆରି ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ବ୍ଲକ ଅଞ୍ଚଳରେ ଚାଲିଥିବା ମନରେଗା ଯୋଜନାର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିବା ଜଣାପଡିଛି। ଶ୍ରୀ ପାଢ଼ୀଙ୍କ ସହିତ ଗ୍ରାମ୍ୟ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଅତିରିକ୍ତ ନିର୍ବାହୀ ଅଧିକାରୀ ଅମୂଲ୍ୟ ବାଉଲ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ କୁମାର ନାୟକ, ମନରେଗା ଏପିଓ ସଞ୍ଜିତ ପରିଡ଼ା, ଗୃହ ନିର୍ମାଣ ବିପିସି ଭୂପେନ୍ଦ୍ର ସାଗର, ଜିତୁ ପୋଢ଼ଙ୍କ ସହିତ କନିଷ୍ଠ ଯନ୍ତ୍ରୀ, ବିଏଫଟି, ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ