ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ସଂଖ୍ୟା ଗତିଷ୍ଠତା ହାସଲ କରିବା ସହ ବିଜୟୀ ହାସଲ କରୁଥିବା ଦେଖିବାକୁ ମିଳୁଛି। ଏ ପର୍ଯ୍ୟନ୍ତ ଦଳ ୧୨୦ ସିଟରେ ଆଗୁଆ ରହିଛି। ବହୁମତ ଦିଗରେ ଅଗ୍ରସର ହେଉଥିଲେ ବି କଂଗ୍ରେସ ଦେଖି ଚାହିଁ ପଦକ୍ଷେପ ନେବାକୁ ଚାହୁଁଛି। ତେଣୁ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା ବିଧାୟକଙ୍କୁ ଯୋଗାଯୋଗ ଆରମ୍ଭ କରି ଦେଇଛି କଂଗ୍ରେସ। ସମସ୍ତଙ୍କୁ ତୁରନ୍ତ ବେଙ୍ଗାଲୁରୁ ପହଞ୍ଚିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ପ୍ରାର୍ଥୀଙ୍କୁ ଫୋନ୍ କରାଯାଇଛି ଯେଉଁମାନେ ବଡ଼ ବ୍ୟବଧାନରେ ଆଗୁଆ ଅଛନ୍ତି ଏବଂ ବିଜୟ ସୁନିଶ୍ଚିତ ରହିଛି। କଂଗ୍ରେସକୁ ଲାଗୁଛି ଯେ, ଯଦି ଅନ୍ତିମ ଫଳାଫଳରେ ଦଳ ୧୧୦ କିମ୍ବା ଏହାର ଆଖପାଖ ସିଟ୍ ଜିତେ ତେବେ ଏମିତି ସ୍ଥିତିରେ ବିଜେପି କିଛି ଓଲଟ୍ ପାଲଟ୍ କରିପାରେ। ତେଣୁ ଅପ୍ରୀତିକର ସ୍ଥିତିରୁ ବର୍ତ୍ତିବା ପାଇଁ ଦଳ ପ୍ଲାନ ବି ପ୍ରସ୍ତୁତ କରିଛି।
କଂଗ୍ରେସ ସୂତ୍ର ଅନୁଯାୟୀ, ଯଦି ଦଳ ବହୁମତ ହାସଲ କରିବାରେ କିଛିଟା ଆସନରୁ ଦୂରରେ ରହିଯାଏ ତେବେ ସର୍ବପ୍ରଥମେ ବିଧାୟକଙ୍କୁ ବଞ୍ଚାଇ ରଖିବା ସବୁଠୁ ଜରୁରୀ। ତେଣୁ ବିଜୟୀ ପ୍ରାର୍ଥୀଙ୍କୁ ତାମିଲନାଡ଼ୁ ନେବାକୁ ଦଳ ଯୋଜନା କରିଛି। ଏଥିପାଇଁ ପାର୍ଟି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ସହ ଯୋଗାଯୋଗ କରୁଛି। ସନ୍ଧ୍ୟା ସୁଦ୍ଧା ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ବେଙ୍ଗାଲୁରୁ ଅଣାଯିବ ଏବଂ ପୁଣି ପରିସ୍ଥିତି ଅନୁସାରେ ଆଗକୁ ନିଷ୍ପତ୍ତି ନିଆଯିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ କର୍ଣ୍ଣାଟକରେ ୮ଟି ସ୍ଥାନରେ ବିମାନ ପ୍ରସ୍ତୁତ କରି ରଖିଛି। ଏହା ବ୍ୟତୀତ ଅନେକ ବିମାନ ବୁକ୍ କରାଯାଇଛି ଏବଂ ସମ୍ଭାବିତ ବିଧାୟକଙ୍କୁ ବେଙ୍ଗାଲୁରୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ କର୍ଣ୍ଣାଟକର ମୋଟ୍ ୨୨୪ ଆସନରୁ କଂଗ୍ରେସ ୧୨୩ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୧ଟି ଏବଂ ଜେଡିଏସ ୨୪ଟି ସିଟରେ ଆଗୁଆ ଅଛନ୍ତି। କଂଗ୍ରେସ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରୁଥିବା ଯଥେଷ୍ଟ ସମ୍ଭାବନା ରହିଛି।