Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ଡାଇରିଆ ରୋଗ ବ୍ୟାପୁଛି ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି

ପାରଳାଖେମୁଣ୍ଡି:୨୨/୬(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ, ହଇଜା ବ୍ୟାପୁଥିବା ଖବର ମିଳିଛି. ବିଶେଷକରି ଛୋଟ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଖବର ମିଳିଛି. ହେଲେ ଡାଇରିଆ ଓ ହଇଜା ବ୍ୟାପୁ ଥିବା ଖବରକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ବୀକାର କରିନାହାନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁ ବିଭାଗରେ ଗତ ସପ୍ତାହେ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ କେତେକ ଶିଶୁଙ୍କ ଚିକିତ୍ସା କରାଯାଇଥିଲା. ସେହିପରି ଗତ ଶୁକ୍ରବାର ଦିନ ଅନ୍ୟ ଜଣେ ଶିଶୁ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ଗତକାଲି ରବିବାର ୪ ଜଣ ରୋଗୀ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନରେ ଝାଡାବାନ୍ତି ରୋଗୀ ଚିକିତ୍ସିତ ହୋଇଛନ୍ତି। ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଥ‌ିବା କେତେକ ଘରୋଇ ଚିକିତ୍ସାଳୟରେ ମଧ୍ୟ ଅନେକ ରୋଗୀ ଚିକିତ୍ସିତ ହୋଇଥିବା ଖବର ମିଳିଛି. ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହି ଯେ, ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେହି ବିଶେଷଜ୍ଞ ଡାକ୍ତର ନାହାନ୍ତି I ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ଠିକ୍ ନଥୁବା ଯୋଗୁଁ ପଡୋଶୀ ଆନ୍ଧ୍ରର ବିଭିନ୍ନ ଚିକିତ୍ସାଳୟକୁ ଲୋକେ ଚାଲିଯାଉଛନ୍ତି। ଘଟଣା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ଡା. ଏମ୍. ଏମ୍. ଅଲ୍ଲୀଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରେ ସେ କହିଛନ୍ତି ଯେ, ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ସଜାଗ ରହିଛି. ପ୍ରତେକ ଦିନ ସକାଳ ଓ ସନ୍ଧ୍ୟା ସମୟରେ ଜିଲ୍ଲାର ସମସ୍ତ ଡାକ୍ତରଖାନା ସହ ଯୋଗାଯୋଗ କରାଯାଇ ଡାଇରିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ତଥ୍ୟ ସଂଗ୍ରହ ଚାଲିଛି. ହେଲେ ଗଜପତି ଜିଲ୍ଲାରେ ଡାଇରିଆ ବ୍ୟାପିଥିବା କୌଣସି ତଥ୍ୟ ମିଳିନାହିଁ. ଗତକାଲି ରବିବାର ଦିନ ପାରଳାଖେମୁଣ୍ଡି ଡାକ୍ତରଖାନାରେ ୪ ଜଣ ଝାଡା ରୋଗୀ ଚିକିତ୍ସିତ ହୋଇଥିଲେ. ହେଲେ ଏହି ୪ ଜଣ ଜିଲ୍ଲାର ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳର ନୁହନ୍ତି. ଏହି ୪ ରୋଗୀ ଭିନ୍ନଭିନ୍ନ ଅଞ୍ଚଳର ସାମାନ୍ୟ ଝାଡା ରୋଗୀ. ତେଣୁ ଡାଇରିଆ ବ୍ୟାପିବା ଭଳି କୌଣସି ଖବର ହସ୍ତଗତ ହୋଇନାହିଁ. ତଥାପି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପାଣି ସାମ୍ପୁଲ ସଂଗ୍ରହ କରି ରୀତିମତ ପରୀକ୍ଷା କରିବା ସହ ସମସ୍ତ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି. ଯଦି କୌଣସି ଅଞ୍ଚଳରେ ଡାଇରିଆ ରୋଗ ଦେଖାଦିଏ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦିଅନ୍ତୁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଅଲ୍ଲୀ ସାଧାରଣଙ୍କୁ ନିବେଦନ କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories