ରେକର୍ଡ ଭାଙ୍ଗିଲା କଂଗ୍ରେସ, ୩୪ ବର୍ଷରେ ସବୁଠୁ ବଡ଼ ଭୋଟ୍ ସେୟାର ସହ ଜିତିଲା କର୍ଣ୍ଣାଟକ ଲଢେଇ, ଦେଖନ୍ତୁ ତାଲିକା


ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି। ସିଟ୍ ଏବଂ ଭୋଟ୍ ପ୍ରତିଶତ ହିସାବରେ ପାର୍ଟି ଦମଦାର ପ୍ରଦର୍ଶନ କରିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଂଗ୍ରେସ ୧୩୬ ସିଟ୍ ଏବଂ ୪୨.୯ ପ୍ରତିଶତ ଭୋଟ୍ ହାସଲ କରିଛି। ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ବିଜେପିକୁ ମାତ୍ ଦେଇ ଦଳ ୫ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି। ତେବେ ଗତ ୩୪ ବର୍ଷର ଇତିହାସରେ କୌଣସି ପାର୍ଟି ଦ୍ଵାରା ରାଜ୍ୟରେ ଏହା ସବୁଠୁ ବଡ଼ ବିଜୟ।

ତଥ୍ୟ ଅନୁଯାୟୀ, ୩୪ ବର୍ଷ ପୂର୍ବେ ୧୯୮୯ରେ କଂଗ୍ରେସକୁ ୧୭୮ ଆସନ ସହ ୪୩.୭୬ ପ୍ରତିଶତ ଭୋଟ୍ ମିଳିଥିଲା ଏବଂ ବୀରେନ୍ଦ୍ର ପାଟିଲ୍ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ। ୧୯୯୪ ବିଧାନସଭା ନିର୍ବାଚନରେ ଜେଡିଏସ ୧୧୫ ସିଟ୍ ଏବଂ ୩୩.୫୪ ପ୍ରତିଶତ ଭୋଟ୍ ହାସଲ କରି ଏଚଡି ଦେବେଗୌଡାଙ୍କ ନେତୃତ୍ଵରେ ସରକାର ଗଠନ କରିଥିଲା। ସେହିପରି ୧୯୯୯ରେ କଂଗ୍ରେସ ୧୩୨ଟି ଆସନ ଜିତିବା ସହ ଦଳକୁ ୪୦.୮୪ ପ୍ରତିଶତ ଭୋଟ୍ ମିଳିଥିଲା ଏବଂ ଏସଏମ କ୍ରିଷ୍ଣା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୪ ନିର୍ବାଚନରେ ବିଜେପି ୭୯ ସିଟ୍ ଏବଂ ୨୮.୩୩ ଭୋଟ୍ ପ୍ରତିଶତ ହାସଲ କରି ପ୍ରଥମ ଥର କର୍ଣ୍ଣାଟକରେ ମେଣ୍ଟ କରି କ୍ଷମତାକୁ ଆସିଥିଲା ଏବଂ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ପୁଣି ୨୦୦୮ରେ ବିଜେପି ୧୧୦ ସିଟ୍ ଏବଂ ୩୩.୮୬ ପ୍ରତିଶତ ଭୋଟ୍ ପାଇ ୟେଦିୟୁରପ୍ପାଙ୍କ ନେତୃତ୍ଵରେ ସରକାର ଗଢିଥିଲା। ୨୦୧୩ ନିର୍ବାଚନରେ କଂଗ୍ରେସ ୧୨୨ ସିଟ୍ ଏବଂ ୩୬.୬ ପ୍ରତିଶତ ଭୋଟ୍ ହାସଲ କରି ପୁନର୍ବାର କ୍ଷମତାକୁ ଫେରିଥିଲା ଏବଂ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ ନିର୍ବାଚନରେ ବିଜେପିକୁ ୧୦୪ ସିଟ୍ ଏବଂ ୩୬.୩ ପ୍ରତିଶତ ଭୋଟ୍ ମିଳିଥିଲା ଏବଂ ପୁଣି ଥରେ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ଗାଦିରେ ଅଧିଷ୍ଠିତ ହୋଇଥିଲେ।

ତେବେ ଗତ ୩୪ ବର୍ଷ ପରେ କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସବୁଠୁ ବଡ଼ ବିଜୟ ହାସଲ କରିଛି। ସମସ୍ତ ଗଣନା ଏବଂ ବିଶ୍ଳେଷଣକୁ ଭୁଲ୍ ପ୍ରମାଣିତ କରି ଦଳ ନିଜ ଦମରେ ୧୩୬ ଆସନରେ ବିଜୟ ଲାଭ କରିଛି। ବିଜେପି ୬୫ ଆସନ ଭିତରେ ସୀମିତ ରହିଥିବା ବେଳେ ଜେଡିଏସକୁ ୧୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କ୍ଷମତା ବିରୋଧୀ ଲହର ଭରପୂର ଫାଇଦା ଉଠାଇବାରେ ସଫଳ ହୋଇଛି କଂଗ୍ରେସ। ତେବେ ଦେଖିବା ବାକି ରହିଲା ଦଳ ସିଦ୍ଧରମୈୟା ନା ଡିକେ ଶିବକୁମାର ଏ ଦୁହିଁଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରୁଛି।