ଜେଲରେ କଟିଲା ବର୍ଷେ, ଜାମିନ ପାଇଁ ଏବେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଆପ୍ ନେତା ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ କେସରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏକ ବର୍ଷରୁ ତିହାର ଜେଲରେ ବନ୍ଦୀ ସତ୍ୟେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ହାଇକୋର୍ଟ ମନି ଲଣ୍ଡ୍ରିଂ କେସରେ ତାଙ୍କର ଜାମିନ ଖାରଜ କରିଥିଲେ।
ଜୈନ ସୁପ୍ରିମକୋର୍ଟରେ ସେହି ସମୟରେ ଜାମିନ ପାଇଁ ଆବେଦନ କରିଛନ୍ତି ଯେବେ ତିହାରରେ ତାଙ୍କୁ ନେଇ ଏକ ନୂତନ ବିବାଦ ସାମ୍ନାକୁ ଆସିଛି। ଜୈନଙ୍କ ଦାବି ଅନୁସାରେ ତାଙ୍କ ସେଲକୁ ଦୁଇ ଜଣ କଏଦୀଙ୍କୁ ପଠାଯିବା ନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ୨୦୧୭ ଅଗଷ୍ଟରେ ସିବିଆଇ ପ୍ରିଭେନସନ ଅଫ କରପସନ ଆକ୍ଟ ଆଧାରରେ କେସ୍ ରୁଜୁ କରାଯାଇଥିଲା। ଏହାର ଗୋଟିଏ ବର୍ଷ ପରେ ଜୈନ, ତାଙ୍କ ପତ୍ନୀ ଏବଂ ୪ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ମନି ଲଣ୍ଡ୍ରିଂ ଅଭିଯୋଗରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜୈନଙ୍କ ସହ ଜଡ଼ିତ ୫ କମ୍ପାନୀରୁ ୪୪.୮୧ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା। ଆପ୍ ନେତାଙ୍କୁ ଇଡି ଗତ ବର୍ଷ ମେ ୩୦ ତାରିଖରେ ଗିରଫ କରିଥିଲା। ତେବେଠୁ ସେ ଅନେକ ଥର ଜାମିନ ପାଇଁ ଆବେଦନ କରିସାରିଛନ୍ତି। ହେଲେ ପ୍ରତି ଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅତି ଘନିଷ୍ଠ ସତ୍ୟେନ୍ଦ୍ର ଜୈନ ବର୍ଷେ ହେବ ଜେଲରେ ଥିଲେ ମଧ୍ୟ ମନ୍ତ୍ରୀ ପଦରେ ରହିଛନ୍ତି। ଚଳିତ ବର୍ଷ ଫେବୃଆରୀ ଶେଷ ଆଡ଼କୁ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ଦୁଇ ନେତା ନିଜ ପଦରୁ ଇସ୍ତଫା ଦେଇଥିଲେ। ଦୁଇ ନେତା ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।