ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶୋଚନୀୟ ପରାଜୟ ଭୋଗିଥିବା ବିଜେପି ଏବେ ଆତ୍ମମନ୍ଥର କରୁଛି। ବିଜେପି ସୂତ୍ର ଅନୁଯାୟୀ, ଦଳକୁ କଂଗ୍ରେସର ମାଗଣା ସ୍କିମ ଯୋଗୁଁ କ୍ଷତି ଘଟିଛି। କଂଗ୍ରେସର ମହିଳାଙ୍କ ପାଇଁ ମାଗଣା ବିଜୁଳି ଏବଂ ୨୦୦୦ ଟଙ୍କାର ମାସିକିଆ ପେନସନ ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆତ୍ମ ମନ୍ଥନ କରିବାକୁ ବାଧ୍ୟ କରିଛି। ବିରୋଧୀଙ୍କ ଏହିପରି ଲୋକ ଲୋଭାଣିଆ ସ୍କିମର ମୁକାବିଲା ପାଇଁ ବିଜେପିକୁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳ ନିର୍ବାଚନୀ ଇସ୍ତାହାରରେ ଲୋଭନୀୟ ଘୋଷଣା କରିଥିଲେ ହେଁ ସବୁ ବର୍ଗ ପାଇଁ ମାଗଣା ଯୋଜନା ଘୋଷଣା କରିବାକୁ ସଙ୍କୋଚ କରିଥିଲା। ଏବେ ଦଳକୁ ଓଲ୍ଵ ପେନସନ ସ୍କିମର ଚିନ୍ତା ଘାରୁଛି, ଯାହା ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ଚିନ୍ତାରେ ପକାଇପାରେ।
କର୍ଣ୍ଣାଟକ ନିର୍ବାଚନରୁ ଶିକ୍ଷା ନେଇ ବିଜେପି ଏବେ ନୂତନ ରଣନୀତି ସହ ଆଗକୁ ବଢିବାକୁ ଯୋଜନା କରୁଛି। ପାର୍ଟି ଏହାକୁ ନେଇ ଚିନ୍ତିତ ଯେ, କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକ ମାଗଣା ଯୋଜନାରେ ବିଜେପିକୁ ପଛରେ ପକାଉଛନ୍ତି। ହେଲେ ପାର୍ଟିର କହିବା କଥା ମାଗଣା ଯୋଜନା ଦଳକୁ ଅଧିକ ସମୟ କ୍ଷମତାରେ ରଖି ପାରିବ ନାହିଁ। ତେଣୁ ଦଳ ଦୀର୍ଘଗାମୀ ଆକର୍ଷଣୀୟ ଯୋଜନା ବିଷୟରେ ବିଚାର କରୁଛି।
କର୍ଣ୍ଣାଟକରେ ବିଜେପି ମାଗଣା ସିଲିଣ୍ଡରର ଘୋଷଣା କରିଛନ୍ତି। ମାତ୍ର ଏହା ପାର୍ବଣ ଋତୁରେ ବିପିଏଲ ପରିବାର ମଧ୍ୟରେ ସୀମିତ ରହିଛି। ଅନେକ ବିଧାନସଭା ନିର୍ବାଚନରେ ନିର୍ବାଚନୀ ଇସ୍ତାହାରର ଡ୍ରାଫ୍ଟ ପ୍ରସ୍ତୁତ କରୁଥିବା ଦଳରେ ସାମିଲ୍ ଜଣେ ବରିଷ୍ଠ ବିଜେପି ନେତାଙ୍କ କହିବା କଥା ବିରୋଧୀ ଦଳ ଏମିତି ଅନେକ ମାଗଣା ଯୋଜନା ଘୋଷଣା କରି ଭୋଟରଙ୍କୁ ପ୍ରଲୋଭନ ଦେଉଛନ୍ତି। କିନ୍ତୁ କେନ୍ଦ୍ରରେ କ୍ଷମତାସୀନ ଶାସକ ଦଳ ଜଣେ ଜାତୀୟ ଖେଳାଳି ଭାବେ ନିଜର ବଡ଼ ଛବି କାଏମ ରଖିବାକୁ ଚାହୁଁଛି, ତେଣୁ ଏମିତି ଲୋଭନୀୟ ଯୋଜନାରୁ ବିଜେପି ନିଜକୁ ଦୂରେଇ ରଖିଛି। ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏବେଠୁ କଂଗ୍ରେସ ଅଣ୍ଟା ଭିଡିଲାଣି।
ପୁରୁଣା ପେନସନ ଯୋଜନା ବଢାଇବ ଚିନ୍ତା
ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ ବିଜେପି ପାଇଁ ଆଉ ଏକ ଚିନ୍ତାର ବିଷୟ ପୁରୁଣା ପେନସନ ଯୋଜନା। ବିଜେପିର ଜନୈକ ନେତାଙ୍କ କହିବା କଥା ଏହି ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂର୍ବର ପେସନସ ପ୍ରଣାଳୀର ସମୀକ୍ଷା ପାଇଁ ଏକ କମିଟି ଗଠନ କରିଛନ୍ତି ଏବଂ ଆନ୍ଧ୍ର ସରକାରଙ୍କ ପେନସନ ମୋଡେଲର ମଧ୍ୟ ଅଧ୍ୟୟନ କରାଯାଉଛି। ପାର୍ଟି ନେତାଙ୍କ କହିବା କଥା ୨୦୧୯ରେ ପିଏମ କିଷାନ ନିଧି ପରି ୨୦୨୪ ପୂର୍ବରୁ ଏମିତି କୌଣସି ଜନ କେନ୍ଦ୍ରୀୟ ଯୋଜନା ଏଡାଇ ଦିଆଯାଇନପାରେ।