Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଏକାକୀ ନେବେ ଶପଥ, ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି କସରତ ପରେ ସିଦ୍ଧରମୈୟାଙ୍କ ପକ୍ଷରେ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ସିଦ୍ଧରମୈୟା ଗୁରୁବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ବର୍ତ୍ତମାନ କେବଳ ସେ ଏକାକୀ ହିଁ ଶପଥ ଗ୍ରହଣ କରିବେ। ଏହା ପରେ କଂଗ୍ରେସ କ୍ୟାବିନେଟ୍ ଉପରେ ବିଚାର କରିବ। ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇପାରେ। ଆଉ ଦୌଡ଼ରେ ସ୍ଵଭାବିକ ଭାବେ ଡିକେ ଶିବକୁମାର ଅଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବକୁମାର ପାର୍ଟି ହାଇକମାଣ୍ଡଙ୍କ ଉପରେ ଚାପ ପକାଇଥିଲେ।

ଏବେ ଦଳର ଶୀର୍ଷ ନେତୃତ୍ଵ ଶିବକୁମାରଙ୍କୁ ମନାଇବାରେ ଜୁଟିଛନ୍ତି। କୁହାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା ଆସନ୍ତାକାଲି ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ବିଚାର କରାଯାଇପାରେ। ରାହୁଲ ଗାନ୍ଧୀ ସଂପ୍ରତି ଶିବକୁମାର ସହ ଆଲୋଚନା କରୁଛନ୍ତି ଏବଂ ବର୍ତ୍ତମାନ ସେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରନ୍ତୁ ବୋଲି ବୁଝାଯାଉଛି। ତାଙ୍କୁ ଏହା ମଧ୍ୟ ବୁଝାଯାଉଛି ଯେ, ସିଦ୍ଧରମୈୟାଙ୍କ ବୟସ ହୋଇଗଲାଣି ଏବଂ ଆଗାମୀ ସମୟରେ ସେ ହିଁ କର୍ଣ୍ଣାଟକର ଚେହେରା ହେବେ। ଏଥିପାଇଁ ଏବେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରନ୍ତୁ ଏବଂ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳନ୍ତୁ।

ଏହିପରି କିଛି ବଡ଼ ମନ୍ତ୍ରଣାଳୟ ସହିତ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକରେ ରାଜସ୍ଥାନ ପରି ସ୍ଥିତି ସୃଷ୍ଟି ହେଉ ବୋଲି ଚାହୁଁ ନାହାନ୍ତି। ସେଠାରେ ୨୦୧୮ରେ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତେବେଠୁ ସଚିନ ପାଇଲଟଙ୍କ ସହ ତାଙ୍କର ମତାନ୍ତର ଜାରି ରହିଛି। ଏହାର ପ୍ରଭାବ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିପାରେ। ଏହି କାରଣରୁ କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କୁ ଏକାଠି ନେଇ ଚାଲିବାକୁ ଚାହୁଁଛି। ଏଥିରେ ସନ୍ଦେଶ ଯିବ ଯେ, ଶିବକୁମାରଙ୍କ ମଧ୍ୟ ଗୁରୁତ୍ଵ ରହିଛି ଏବଂ ୨୦୨୪ରେ ଦଳକୁ ଏକଜୁଟତା ସହ ନିର୍ବାଚନ ଲଢିବାରେ ବେଶ ସହାୟକ ହେବ। ଡିକେଙ୍କ କିଛି ସମର୍ଥକଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇପାରେ, ଯଦ୍ଵାରା ସରକାରେ ସନ୍ତୁଳନ ବଜାୟ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ