ଓଡ଼ିଆ ସମ୍ୱାଦପତ୍ରକୁ ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ ଦାବିରେ ସମ୍ୱାଦପତ୍ର ସଂଗଠନର ସାଧାରଣ ପରିଷଦ ବୈଠକ ପାଇଁ ବ୍ୟାପକ ପ୍ରସ୍ତୁତି

ପାରଳାଖେମୁଣ୍ଡି: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଆଗାମୀ ବୈଠକ ଆସନ୍ତା ସେପ୍ଟେମ୍ବର ୧୫,ତାରିଖ ଦିନ ଦିବା ୧୦ ଘଟିକା ସମୟରେ କୋରାପୁଟ ସହରର ଜଗନ୍ନାଥ ମନ୍ଦିର ପରିଚାଳିତ ଅତିଥି ଭବନ ସଭା କକ୍ଷଠାରେ ଅନୁଷ୍ଠିତ ହେବ । ଏହି ସଭାରେ ଯୋଗଦେବା ନିମନ୍ତେ ଆସୁଥିବା ସମ୍ପାଦକ ଓ ପ୍ରକାଶକମାନଙ୍କ ରହଣି ନିମନ୍ତେ ପ୍ରସ୍ତୁତି କମିଟି ପକ୍ଷରୁ 15 ତାରିଖ ପାଇଁ ସଭା କକ୍ଷ ନିକଟସ୍ଥ ମୈତ୍ରୀ ପରିସରରେ କେ.ବି.କେ. ସମାଚାରର ସମ୍ପାଦକ ତଥା ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଅଭ୍ୟର୍ଥନା କମିଟି ଏହି ବୈଠକ ନିମନ୍ତେ ସମସ୍ତ ଆୟୋଜନ କରୁଅଛନ୍ତି ।ଏ ସମ୍ପର୍କରେ ବୈଠକରେ ମୁଖ୍ୟତଃ ଓଡ଼ିଆ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ୱାଦପତ୍ର ପାଇଁ ନୀତି ନିର୍ଦ୍ଧାରଣ କରାଯାଉ, ସମ୍ବାଦପତ୍ର ସମ୍ପାଦକ ଓ ମାଲିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା । ସରକାରୀ ସୀକୃତି ପାଇଁ ଆବେଦନ କରିଥିବା ସମସ୍ତ ଖବର କାଗଜଗୁଡ଼ିକର ସୀକୃତି ପ୍ରଦାନ ସମ୍ପର୍କରେ ତ୍ବରିତ ନିଷ୍ପତି ଗ୍ରହଣ କରାଯିବା । ସାମ୍ବାଦିକ ଓ ସମ୍ପାଦକମାନଙ୍କ ପାଇଁ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯିବା । ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯିବା ସହ ସାଙ୍ଗଠନିକ ଅଭିବୃଦ୍ଧି ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯିବ ବୋଲି ସଂଗଠନର ଅଧ୍ୟକ୍ଷ ରବି ରଥ ସୂଚନା ଦେଇଛନ୍ତି ।