କଳାହାଣ୍ଡି,୧୭/୦୫-ଗତକାଲିଠାରୁ ଗ୍ରୀଷ୍ମ ପ୍ରବାହ ବ୍ରୁଦ୍ଧି ସାଙ୍ଗକୁ ବିଦ୍ୟୁତ ବିଭ୍ରାଟ ଜନସାଧାରଣଙ୍କ ଦୁଃଖ ବଢ଼ାଇଦେଇଛି ! ପ୍ରବଳ ଗରମରେ ଲୋକେ ସନ୍ତୁଳି ହେଉଥିବାବେଳେ ବିଦ୍ୟୁତକାଟ ଲୋକଙ୍କୁ ହଇରାଣରେ ପକାଇଛି ! ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗତକାଲି ଦିନତମାମ ଓ ଆଜି ଦିନର ୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ ପାଇଁ ବିଦ୍ୟୁତବିଭାଗ ନୁହେଁ ବରଂ ଲୋକେ ଦାୟୀ ! କାରଣ ଗତକାଲି କେସିଙ୍ଗାରୁ ବିଶ୍ବନାଥପୁର ତଥା ଲାଞ୍ଜିଗଡ଼କୁ ବିଦ୍ୟୁତ ସଂଯୋଗ କରୁଥିବା ପରିବାହୀ ପଥର ଢେପଗୁଡ଼ା ଘାଟି ନିକଟରେ କେହି ଦୁବ୍ରୁର୍ତ୍ତ ଏକ ବିରାଟ ଗଛରେ ନିଆଁ ଲଗାଇ ଦେଇଥିବାବେଳେ ନିଆଁରେ ପୋଡ଼ି ଗଛଟି ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ସହ ୧୫ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା ! ଫଳରେ ଗତକାଲି ଦିନତମାମ ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ବନାଥପୁର, ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼ ଆଦି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧିତ ହୋଇଥିଲା ! ଏପରିକି ବିଦ୍ୟୁତ୍ ସଂଯୋଗ ନିୟମିତ କରିବାକୁ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ନାକେଦମ୍ ହୋଇପଡ଼ିଥିଲେ ! ଠିକ୍ ସେହିପରି କେସିଙ୍ଗାରୁ ବିଶ୍ବନାଥପୁର ଓ ଲାଞ୍ଜିଗଡ଼କୁ ଆସିଥିବା ବିଦ୍ୟୁତ ତାର ଉପରେ ସିରୋଲ ନିକଟରେ କେହି ଜଣେ ବ୍ୟକ୍ତି ଏକ ବିରାଟ ଗଛ କାଟୁଥିବାବେଳେ ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ କେସିଙ୍ଗା, ନର୍ଲା ସମେତ ବିଶ୍ବନାଥପୁର, ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼, ମଧୁପୁର ଆଦି ଅଞ୍ଚଳରେ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବାଧିତ ହୋଇଥିଲା ! ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥିତି ସ୍ବାଭାବିକ ହୋଇଛି ! ତେବେ ଖରା ଯୋଗୁଁ ଗରମ ହେଉଥିବାବେଳେ କିଛି ଲୋକଙ୍କ ସଚେତନତାର ଅଭାବ ଓ ଦାୟିତ୍ବହୀନତା ଯୋଗୁଁ ଆଜିକୁ ୨ ଦିନ ହେଲା ନର୍ଲା ଓ ଲାଞ୍ଜିଗଡ଼ ବ୍ଲକରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ! ଏପରି ପରିସ୍ଥିତିରେ ଜୀବନକୁ ପାଣି ଛଡ଼ାଇ ବିଦ୍ୟୁତ୍ ସେବାରେ ନିୟୋଜିତ କର୍ମଚାରୀଙ୍କୁ ସମ୍ମାନ ଦିଆଯିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି !