Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକର କିଙ୍ଗ୍ ସ୍ଥିର କଲା କଂଗ୍ରେସ; ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଡିକେ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ସମୟର କସରତ ଏବଂ ମାନସ ମନ୍ଥନ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଉପରେ ସହମତି ପ୍ରକାଶ ପାଇଛି। କଂଗ୍ରେସ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରୁଥିବା ବେଳେ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯିବ। କଂଗ୍ରେସ ପାର୍ଟି ଆଜି ବିଧାୟକ ଦଳ ବୈଠକ ଡକାଇଛି, ଯେଉଁଥିରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବ। ତେଣୁ ବେଙ୍ଗାଲୁରୁରେ ସନ୍ଧ୍ୟା ୭ଟାରେ ହେଉଥିବା ବୈଠକରେ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଏ ନେଇ ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ଦ୍ଵାରା ପତ୍ର ଜାରି କରାଯାଇଛି।

କଂଗ୍ରେସର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ଗୁରୁତ୍ଵପୂର୍ଣ୍ଣ ବିଭାଗ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ। ଶନିବାର ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ତେଣୁ ପ୍ରସ୍ତୁତି ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି।

ରାହୁଲଙ୍କୁ ଭେଟିବା ପରେ ମାନିଲେ ଦୁଇ ନେତା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦର ଦୁଇ ପ୍ରବଳ ଦାବିଦାର ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ବୁଧବାର ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। କୁହାଯାଉଛି ଏହି ସାକ୍ଷାତ ଉପରେ ଦୁଇ ନେତା ଦଳର ସମୀକରଣ ଉପରେ ସହମତି ପ୍ରକାଶ କରିଛନ୍ତି। ଏପରିକି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଛନ୍ତି ଶିବକୁମାର। ବୈଠକ ପରେ ଶିବକୁମାର କହିଛନ୍ତି, କହିବାକୁ ମୋ ନିକଟରେ କିଛି ନାହିଁ। ଆମେ ହାଇକମାଣ୍ଡଙ୍କ ଉପରେ ସବୁ ଛାଡ଼ି ଦେଇଛୁ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାର ପାଳନ କରିବୁ।

ଉତ୍ତର କର୍ଣ୍ଣାଟକର ଜଣେ ବରିଷ୍ଠ ବିଧାୟକ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତି ପର‌୍ୟ୍ୟନ୍ତ ବୁଝାମଣା ଚାଲିଥିଲା। ନିର୍ଣ୍ଣୟ ନେବାରେ ଏଥିପାଇଁ ବିଳମ୍ବ ଘଟିଲା କାରଣ ପାର୍ଟି ଦୁଇ ନେତାଙ୍କ ବିଶ୍ଵାସ ଜିଣିବା ପରେ ନିର୍ଣ୍ଣୟ ନେବାକୁ ଚାହୁଁଥିଲା। ଦୁଇ ନେତାଙ୍କ ମଧ୍ୟରେ କ୍ଷମତା ଭାଗବଣ୍ଟା ଫର୍ମୁଲା ଉପରେ ସହମତି ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ