କାଲି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାକୁ ଅଡ଼ି ରହିଥିଲେ ଶିବକୁମାର, ଏମିତି କ’ଣ କହିଲେ ସୋନିଆ, ମାନିଗଲେ ନେତା


ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଶନିବାରଠୁ ପ୍ରକାଶ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସରେ ବୁଧବାର ସନ୍ଧ୍ୟା ସୁଦ୍ଧା ଗତିରୋଧ ଜାରି ରହିଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କଠୁ ନେଇ ରାହୁଲ ଗାନ୍ଧୀ ପର୍ଯ୍ୟନ୍ତ ସମସ୍ତେ ବୁଝାଇଲେ ମଧ୍ୟ ଗତକାଲି ସନ୍ଧ୍ୟା ସୁଦ୍ଧା ଶିବକୁମାର ନିଜର ମୁଖ୍ୟମନ୍ତ୍ରୀ ଦାବିଦାର ଛାଡିବାକୁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟାଙ୍କ ନାମ ଘୋଷଣା ଅଟକି ରହିଥିଲା। ଜାରି ରହିଥିବା ଗତିରୋଧ ନହଟିବାରୁ ଶେଷରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସେ ଶିବକୁମାରଙ୍କ ସହ ଆଲୋଚନା କରିଛନ୍ତି। ସୂତ୍ର ମୁତାବକ ଗତରାତିରେ ସୋନିଆଙ୍କ ସହ ଆଲୋଚନା ବେଳେ ଶିବକୁମାର ନିଜ ଜିଦି ଛାଡ଼ି ଉପମୁଖ୍ୟମନ୍ତ୍ରୀ ପଦ ସ୍ଵୀକାର କରିଛନ୍ତି। ଆଜି ସନ୍ଧ୍ୟା ୭ଟାରେ କଂଗ୍ରେସ ବିଧାୟକ ଦଳର ବୈଠକରେ ଏହ ଆନୁଷ୍ଠାନିକ ଘୋଷଣା କରାଯିବାର ସମ୍ଭାବନା ରହିଛି।

ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ସ୍ଵୀକାର କରିବା ସହିତ ଗୁରୁବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କର୍ଣ୍ଣାଟକ ଜନତା ପ୍ରତି କଂଗ୍ରେସର ପ୍ରତିବଦ୍ଧତା ରହିଛି। ଲୋକସଭା ନିର୍ବାଚନ ଆସୁଛି, ଏଥିପାଇଁ ମୁଁ ପାର୍ଟି ହିତରେ କଂଗ୍ରେସ ଅଧ୍ୟକ୍ଷ ଏବଂ ଗାନ୍ଧୀ ପରିବାରଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ନିଷ୍ପତ୍ତି ନେଇଛି। କେବେ କେବେ ବରଫ ତରଳିବା ଜରୁରୀ। ଆମର କର୍ଣ୍ଣାଟକ ଜନତାଙ୍କ ପ୍ରତି ଉତ୍ତର ଦାୟିତ୍ଵ ରହିଛି। ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ।

ଉଲ୍ଲେଖନୀୟ କର୍ଣ୍ଣାଟକକୁ ନେଇ ହାଇକମାଣ୍ଡ ଯେଉଁ ନେତାମାନଙ୍କ ଉପରେ ନିଷ୍ପତ୍ତି ନେବାର ଦାୟିତ୍ଵ ଦେଇଥିଲେ, ସେମାନଙ୍କ ମଧ୍ୟରୁ କେହି ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଡିକେ ଶିବକୁମାରଙ୍କ ସପକ୍ଷରେ ନଥିଲେ। ଅଧିକାଂଶ ବିଧାୟକଙ୍କ ସହିତ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ସିଦ୍ଦରମୈୟାଙ୍କ ସମର୍ଥନ କରିଥିଲେ। ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କର୍ଣ୍ଣାଟକ ପ୍ରଭାରୀ ସାଧାରଣ ସଂପାଦକ ରଣଦୀପ ସୁରଜେଓ୍ଵାଲା କାହାରି ପକ୍ଷରେ ନଥିଲେ। ସୋନିଆ ଗାନ୍ଧୀଙ୍କ ସହିତ ଶିବକୁମାର ସଂପର୍କ ବହୁତ ଭଲ। କିନ୍ତୁ ପ୍ରଥମରୁ ସୋନିଆ ମାମଲାରେ ଅଧିକ ଦଖଲ ଦେଇନଥିଲେ। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶେଷରେ ସେ ହସ୍ତକ୍ଷେପ କରିଥିଲେ।

ସୂଚନାଯୋଗ୍ୟ, ଶିବକୁମାରଙ୍କୁ ସୋମବାର ଉପମୁଖ୍ୟମନ୍ତ୍ରୀ ପଦ ସହ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ଅଫର କରାଯାଇଥିଲା। ହେଲେ ସେ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ନିଜର ମୁଖ୍ୟମନ୍ତ୍ରୀ ଦାବିଦାର ଛାଡ଼ିନଥିବା ଶିବକୁମାର କେବଳ ବିଧାୟକରେ ସନ୍ତୁଷ୍ଟ ରହିବେ ଏବଂ ସିଦ୍ଦରମୈୟାଙ୍କ ସରକାରରେ ସାମିଲ୍ ହେବେ ନାହିଁ ବୋଲି କହିଥିଲେ। ଏହା ପରେ ପୂରା ମାମଲାରେ ସୋନିଆ ଗାନ୍ଧୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ତେବେ ଯାଇ ସରକାରରେ ନମ୍ବର ୨ ପଦ ଗ୍ରହଣ କରିବାକୁ ରାଜି ହେଲେ ଶିବକୁମାର।