ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ତରଫରୁ ରାମଗିରି ଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୦/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ନୂଆଗଡ ବ୍ଲକ ଅନ୍ତର୍ଗତ ଆତାରସିଙ୍ଗ ପଞ୍ଚାୟତ ଓ ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ତାବରଡା, ପୁତୁରୁପଡା ଓ ଆତାରସିଙ୍ଗର ପ୍ରାୟ ୩୦୦ ଶହରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ଆର. ଉଦୟଗିରି ବ୍ଲକର ରାମଗିରି, ତାବରସିଙ୍ଗ ଓ ଅନଘା ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ପ୍ରାୟ ୨୦୦ ଶହରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କର ଚାଲାଣକୁ ବିରୋଧ କରିବା ସହିତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଚଳିତ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ସେମାନଙ୍କୁ ସମାଜରେ ସ୍ବତନ୍ତ୍ର ପରିଚୟ ଦେଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା। ସେହିପରି କୌଣସି ଶିଶୁ ଯେପରି ତାଙ୍କର ଅଧିକାରରୁ ବଞ୍ଚିତ ନ ହୁଏ କିମ୍ବା ବିପଦସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା କିପରି ଯୋଗାଇ ଦିଆଯିବ ସେ ନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା।ଆତାରସିଙ୍ଗଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଅଭିଯୋଜନ ବିଭାଗର ସହାୟକ ନିର୍ଦ୍ଦେଶକ ଡ଼ି. ଅନୁପ ରାଜ ଆଚାରୀ, ଆର. ଉଦୟଗିରି ଥାନାର ସବ ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା, ନୂଆଗଡ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ରାଜେଶ୍ଵରୀ ପାତ୍ର, ସମିତି ସଭ୍ୟା ଋତାନି ରାଇକା, ଆତାରସିଙ୍ଗ ପଞ୍ଚାୟତର ସରପଞ୍ଚ ଜୀବନୀ ଗମଙ୍ଗୋ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଓ ଶ୍ରୀ ଆଚାରୀ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଆଇନ ସମ୍ବନ୍ଧରେ ସଚେତନ କରିବା ସହ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ସେହିପରି ରାମଗିରିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ମଣିକ ଗମଙ୍ଗୋ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ପଣ୍ଡା ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକ ବିଶେଷ ଭାବେ ପ୍ରଶଂସା କରିବା ସହ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।