ଏନଏଚ ୪୯ କନକତୋରା ଛକରେ ମର୍ମ୍ମନ୍ତୁଦ ଦୁର୍ଘଟଣା କୋଇଲା ଟ୍ରକକୁ ଧକ୍କା ମାରି ଟ୍ରଲର ଡ୍ରାଇଭର ମୃତ

ଝାରସୁଗୁଡା:ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମ୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରଲର ଗାଡ଼ି ବିପରୀତ ଦିଗରୁ ଆସୁଥିବା ଅନ୍ୟ କୋଇଲା ବୋଝେଇ ଟ୍ରକକୁ ଧକ୍କା ମାରି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଟ୍ରଲର ଗାଡ଼ି ର ଡ୍ରାଇଭର ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏଥିସହ ଟ୍ରଲର ପଛରେ ଆସୁଥିବା ଏକ କାର ଓ ସ୍କରପିଓ ଗାଡ଼ି ମଧ୍ୟ ଉକ୍ତ ଟ୍ରଲର ରେ ପିଟିହୋଇ ଉଭୟ ଗାଡ଼ିରେ ଥିବା ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣା ପଡ଼ିଛି । ଖବର ପାଇ ରେଙ୍ଗାଲି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତ ଟ୍ରଲର ଡ୍ରାଇଭରଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ମାତ୍ର ମୃତ ଡ୍ରାଇଭର ଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ମତେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟା ସମୟରେ ଝାରସୁଗୁଡ଼ା ପଟୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଓଡି ୨୩ ପି ୭୯୧୮ ନମ୍ବର ବିଶିଷ୍ଟ ଟ୍ରଲର ଗାଡ଼ି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଓଡି ୨୩ ଏ ୩୫୫୯ କୋଇଲା ଟ୍ରକକୁ ଧକ୍କା ମାରିଥିଲା । ଯାହାଦ୍ୱାରା ଟ୍ରଲର ଗାଡି ଭିତରୁ ଡ୍ରାଇଭର ଜଣକ ଛିଟିକି ପଡ଼ି ରାସ୍ତା ଉପରେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ଏଥିସହ ଟ୍ରଲର ପଛରେ ଆସୁଥିବା ଓଡି ୧୫ ଭି ୭୪୦୪ ଇନୋଭା କାର ଏବଂ ଓଡି ୦୫ ବିକ୍ୟୁ ୩୫୦୪ ସ୍କରପିଓ ଗାଡ଼ି ମଧ୍ୟ ଟ୍ରଲର ପଛପଟେ ଧକ୍କା ମାରି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଉଭୟ ଗାଡ଼ିରେ ଥିବା ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଏହି ଘଟଣା କୁ ନେଇ ସେ ସ୍ଥାନରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ହେଲେ ପୁଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଗଲା ।