ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଣ୍ଡିବା ପରେ ଆସନ୍ତାକାଲି ବେଙ୍ଗାଲୁରୁର କାନ୍ତିରାଭା ଷ୍ଟାଡିୟମରେ ମଧ୍ୟାହ୍ନ ୧୨ଟା ୩୦ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଗତକାଲି ସନ୍ଧ୍ୟାରେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ସିଦ୍ଦରମୈୟା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଉପସ୍ଥାପନ କରିଥିଲେ। ଶପଥ ଗ୍ରହଣ ପୂର୍ବରୁ ଦୁଇ ନେତା ଆଜି ଦିଲ୍ଲୀ ଆସୁଛନ୍ତି। ମନ୍ତ୍ରିମଣ୍ଡଳ ଉପରେ ଆଲୋଚନା ପାଇଁ ଉଭୟ ନେତାଙ୍କୁ ଦିଲ୍ଲୀ ଡକାଯାଇଥିବା କୁହାଯାଉଛି।
ସେପଟେ କଂଗ୍ରେସ ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କାର୍ଯ୍ୟକ୍ରମରେ ମୋଦୀ ବିରୋଧୀ ସମସ୍ତ ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଏବଂ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିସହ ଦଳ ଏନସିପି ପ୍ରମୁଖ ଶରଦ ପାଓ୍ଵାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବ୍ୟତୀତ ଅଖିଳେଶ ଯାଦବ, ତେଜସ୍ଵୀ ଯାଦବ, ଉଦ୍ଧବ ଠାକରେ, ଫାରୁକ ଅବଦୁଲ୍ଲା, ମେହବୁବା ମୁଫତିଙ୍କ ପରି ସମସ୍ତ ନେତାଙ୍କୁ ଶପଥ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି।
ତେବେ ଏହି ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନାହିଁ। ପାର୍ଟି ସୂତ୍ର ଅନୁଯାୟୀ, କେଜ୍ରିଓ୍ଵାଲ୍, ଭଗଓ୍ଵନ୍ତ ମାନ ଏବଂ କେସିଆରଙ୍କୁ ନଡକାଇବା ପଛରେ ଦିଲ୍ଲୀ, ପଞ୍ଜାବ ଏବଂ ତେଲଙ୍ଗାନା ନେତାମାନଙ୍କ ବିରୋଧ ପ୍ରମୁଖ କାରଣ ରହିଛି। ଆପ୍ ସର୍ବଦା କଂଗ୍ରେସର କ୍ଷତି କରୁଥିବା ଦଳର ନେତା କହିଛନ୍ତି। ସେପଟେ ତେଲଙ୍ଗାନାରେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ ସଂପର୍କ ସେତେଟା ଭଲ ନୁହେଁ।
ଏଆଇସିସିର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଆମେ ସମାନ ବିଚାରଧାରା ପାର୍ଟିର ନେତାଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛୁ। ସୂଚନାଯୋଗ୍ୟ, କର୍ଣ୍ଣାଟକରେ ପ୍ରଚଣ୍ଡ ବିଜୟ ପରେ କଂଗ୍ରେସ ପାଇଁ ଏହା କେବଳ ସଞ୍ଜିବନୀ ନୁହେଁ ବରଂ ପାର୍ଟିକୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦୁଇ ଗୁଣ ଉତ୍ସାହରେ କାମ କରିବାର ବଳ ଦେଇଛି।