ଗଠନ ହେଲା କର୍ଣ୍ଣାଟକ ସରକାର; ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଏବଂ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ


ବେଙ୍ଗାଲୁରୁ: ବହୁ କସରତ ପରେ ଶେଷରେ କର୍ଣ୍ଣାଟକରେ ସରକାର ଗଠନ ହୋଇଛି। ଶନିବାର କଂଗ୍ରେସର ବରିଷ୍ଠ ନେତା ସିଦ୍ଦରମୈୟା ଶନିବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡିକେ ଶବିକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ୍ ଉଭୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ବ୍ୟତୀତ ୮ ବିଧାୟକଙ୍କୁ ରାଜ୍ୟପାଳ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ କରାଇଛନ୍ତି।

ଶପଥ ନେଇଥିବା ୮ ମନ୍ତ୍ରୀ ହେଉଛନ୍ତି ଡ. ଜି. ପରମେଶ୍ଵର, କେଜେ ଜଜ୍, କେ.ଏଚ୍. ପୁନିଅପ୍ପା, ସତୀଶ ଜରକିହୋଲୀ, ଜମୀର ଅହମ୍ମଦ, ରାମଲିଙ୍ଗା ରେଡ୍ଡୀ, ରିୟାଙ୍କ ଖଡ଼ଗେ ଏବଂ ଏମବି ପାଟିଲ୍। ଶପଥ ସମାରୋହରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ତେବେ ଏସପି ପ୍ରମୁଖ ଅଖିଳେଶ ଯାଦବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାରୋହରେ ଯୋଗ ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ସିଟ୍, ବିଜେପି ୬୬ ସିଟ୍ ଏବଂ ଜେଡିଏସ ୧୯ଟି ସିଟରେ ବିଜୟ ହାସଲ କରିଛନ୍ତି। ତେବେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ଅନେକ ଦିନ ଧରି ଗତିରୋଧ ଜାରି ରହିଥିଲା। ମାରାଥନ ବୈଠକ ଏବଂ ବିଚାର ବିମର୍ଶ ପରେ ଦୁଇ ନେତାଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ କଂଗ୍ରେସ ହାଇକମାଣ୍ଡ।