୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବାରୁ ବର୍ଷିଲେ ରାଜ ଠାକରେ, କହିଲେ- ଦେଶ ବରଦାସ୍ତ କରିବ ନାହିଁ


ନାସିକ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନିଆଯିବା ନିଷ୍ପତ୍ତିକୁ କଂଗ୍ରେସ ଏବଂ ଆପ୍ ପରେ ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ ନିନ୍ଦା କରିଛନ୍ତି। ସେ କହିଛନ୍ତି ବିମୁଦ୍ରୀକରଣ ପରି ନିଷ୍ପତ୍ତି ଦେଶ ପାଇଁ ଉପଯୋଗୀ ନୁହେଁ। ଏହା ଏକ ଘାତକ ନିଷ୍ପତ୍ତି। ଉଲ୍ଲେଖନୀୟ ବଜାରରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ।

ଆରବିଆଇ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ୨୦୦୦ ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବାକୁ ଘୋଷଣା କରିଥିଲା। ରାଜ ଠାକରେ କହିଛନ୍ତି, ନୋଟବନ୍ଦୀ ସମୟରେ ମଧ୍ୟ ମୁଁ ଏହାର ବିରୋଧ କରିଥିଲି। ଯଦି ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଥାନ୍ତେ ତେବେ ଆଜି ୨୦୦୦ ଟଙ୍କିଆ ନୋଟକୁ ସର୍କୁଲେସନରୁ ବାହାର କରାଯାଇ ନ ଥାନ୍ତା। ୨୦୦୦ ଟଙ୍କିଆ ନୋଟକୁ ବଜାରକୁ ଛାଡ଼ି ଦେଲେ ହେଲେ ଏହା ଦେଖିଲେ ନାହିଁ ଯେ, ମେସିନ ପାଇଁ ଏହି ନୋଟ୍ ଉପଯୋଗୀ କି ନୁହେଁ।

ଦେଶ ଏମିତି ନିଷ୍ପତ୍ତିକୁ ବରଦାସ୍ତ କରିବ ନାହିଁ। ଏବେ ଲୋକେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କରିବେ ଏବଂ ନୂତନ ନୋଟ୍ ନେବେ। କଣ ସରକାର ଏମିତି ଚାଲେ ? କଣ କୌଣସି ଯୋଜନା ଏମିତି ପ୍ରୟୋଗ କରାଯାଏ ବୋଲି ରାଜ ଠାକରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଆରବିଆଇ ଗ୍ରାହକଙ୍କୁ ଏହି ନୋଟ୍ ବଦଳାଇବା ଏବଂ ଜମା କରିବା ପାଇଁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରିଛନ୍ତି। ଏହା ପରେ ବି ନୋଟର ଆଇନଗତ ବୈଧତା ବଜାୟ ରହିବ।