Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରର ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଦିଲ୍ଲୀ ସରକାର, କେନ୍ଦ୍ର ସହ ଆରପାର ଲଢେଇ ମୁଡରେ ଆପ୍

ନୂଆଦିଲ୍ଲୀ: ଆରପାର ଲଢେଇ ମୁଡରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର। ରାଜଧାନୀ ଦିଲ୍ଲୀରେ କ୍ଷମତା ପରିଧିକୁ ନେଇ କେନ୍ଦ୍ର ଏବଂ ଆପ୍ ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି ଏବଂ ପୀଠ ନିଜ ନିଷ୍ପତ୍ତିର ପୁନଃ ସମୀକ୍ଷା କରିବା ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର। ଅନ୍ୟପେଟ କେନ୍ଦ୍ରର ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି ଆପ୍ ସରକାର। ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗୋଟିଏ ଉଦ୍ଦେଶ୍ୟ କେଉଁଭଳି ଦିଲ୍ଲୀ ସରକାରଙ୍କୁ ଜନତାଙ୍କ ହିତରେ କାମ କରିବା ପାଇଁ ରୋକିବା।

ସେ କହିଛନ୍ତି, କେନ୍ଦ୍ର ସରକାର ନା ସମ୍ବିଧାନ ହିସାବରେ ଚାଲିବାକୁ ଚାହାନ୍ତି ନା ଅଦାଲତଙ୍କ ନିଷ୍ପତ୍ତି ମାନିବାକୁ ଚାହାନ୍ତି। ଅଧରାତିରେ ଅଣାଯାଇଥିବା ତୁଗଲକି ଏବଂ କଳା ଅଧ୍ୟାଦେଶ ଏହା ଦର୍ଶାଉଛି କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ପ୍ରତ୍ୟେକ ଉନ୍ନତିମୂଳକ କାମରେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି। ଯେଉଁ ଦିନ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠଙ୍କ ନିଷ୍ପତ୍ତି ଆସିଲା ସେହି ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଅଭିଭାବକ ଏବଂ ପିତାଙ୍କ ସମାନ ହେବା ଉଚିତ୍। ମାତ୍ର ଅଧ୍ୟାଦେଶ ଆଣିବାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ଦେଶର ଗଣତନ୍ତ୍ର ବିପଦରେ ରହିଛି।

ବିଜେପି ଯେମିତି ହେଲେ ଏକଛତ୍ରବାଦ ଏବଂ ଦମନ କରି ସରକାର ଚଲାଇବାକୁ ଚାହୁଁଛି। ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ଆଦେଶ ପରେ କୌଣସି ପରିବର୍ତ୍ତନ ଏବଂ ଅଧ୍ୟାଦେଶ ଆଣିବା ସମ୍ବିଧାନ ବିରୋଧୀ। କିନ୍ତୁ କେନ୍ଦ୍ର ସରକାର ଏମିତି ହୀନ କାମ କରିବାକୁ ପଛାଉ ନାହାନ୍ତି ବୋଲି ସଞ୍ଜୟ ସିଂ କହିଛନ୍ତି। ଉଲ୍ଲେଖନୀୟ ଅଦାଲତ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂର ଅଧିକାର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମେ ୧୧ରେ ସର୍ବସମ୍ମତିକ୍ରମେ ରାଜଧାନୀର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣ ଅଧିକାର ଦିଲ୍ଲୀ ସରକାରଙ୍କୁ ପ୍ରଦାନ କରିଥିଲେ। ପୋଲିସ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଜମି ମାମଲା ଉପରେ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠରେ ଜଷ୍ଟିସ ଏମ ଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ. ନରସିମାହ ଏହି ରାୟ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ