Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପନିର୍ବାଚନରେ ପାଣ୍ଡିଆନ ଗଲେ କୁଆଡେ?

ଭୁବନେଶ୍ୱର,୭|୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି | ବିଜେଡ଼ି ହେଉକି ବିଜେପି ଅବା କଂଗ୍ରେସ, ଉପନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି ସଭିଏଁ| ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଜନତା ଏବଂ ନେତାଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢ଼ିବାରେ ଲାଗିଛି | ୨୦୨୪ ନିର୍ବାଚନରେ ପାଣ୍ଡିଆନ ଷ୍ଟାର ପ୍ରଚାରକ ଭାବେ ହେଲିକେପ୍ଟର ଯୋଗେ ସବୁ ନିର୍ବାଚନ ମଣ୍ଡଳୀକୁ ଯାଉଥିଲେ | ସରକାରୀ ପଦବୀରୁ ଅବସର ନେଇ ସେ ରାଜ୍ୟ ରାଜନୀତିରେ ଯୋଗ ଦେଇଥିଲେ | ୨୦୨୪ ନିର୍ବାଚନରେ ବିଜେଡିର ବଡ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଲି ବୋଲି ଘୋଷଣା କରିଥିଲେ | କିନ୍ତୁ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପରେ ମଧ୍ୟ ସେ କିଭଳି ବିଜେଡ଼ି ଦଳକୁ ଚଳାଉଥିଲେ ତାହା ସମସ୍ତେ ଜାଣନ୍ତି ।

ବିଜେଡିର ପ୍ରତିଟି ଆଭ୍ୟନ୍ତରୀଣ ବ୍ୟାପାରରେ ସେ ସବୁ ବେଳେ ହସ୍ତକ୍ଷେପ କରୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା | ଗତ କିଛି ଦିନ ହେଲା ଶ୍ରିମୟୀ ମିଶ୍ର ବିଜେଡି ଦଳରୁ ବହିସ୍କୃତ ହେଲା ପରେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଭିନ୍ନ ବିସ୍ଫୋରକ ବୟାନ ମାନ ଦେଇ ଆସୁଛନ୍ତି | ସେ କହେଁଇଙ୍କ ଦିଲ୍ଲୀ ଡ଼ିଲ ହେଉ କି ରାଜ୍ୟ ବିଜେଡି ଦଳକୁ ଟାଇଟନିକ ସହ ତୁଳନା, କିମ୍ବା ବିଜେଡି ସୁପ୍ରିମୋ ନବୀନଙ୍କୁ ଧୃତରାଷ୍ଟ୍ର ବୋଲି ଆକ୍ଷେପ ଇତ୍ୟାଦି … | ସେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ଇଙ୍ଗିତ କରି ବିଭିନ୍ନ ଆକ୍ଷେପ ମାନ କରି ଆସୁଛନ୍ତି | କେବଳ ଯେ ଶ୍ରିମୟୀ ନୁହେଁ ବିଜେଡିର ଅନେକ ପ୍ରମୁଖ ନେତାମାନେ ମଧ୍ୟ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି | ଅବଶ୍ୟ ଏହାର ଅନେକ ଉଦାହରଣ ରହିଛି, ପୂର୍ବରୁ ବିରୋଧୀ ଦଳର ନେତା ନବୀନ ତାଙ୍କର ସର୍ଭଇକାଲ ଆରଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଯାଇଥିଲେ। ଏବଂ ନବୀନଙ୍କୁ ଦେଖା କରିବାକୁ ଅନେକ ପ୍ରମୁଖ ନେତା ମୁମ୍ବାଇ ଯାଇ ଦେଖାନପାଇ ଫେରିଥିଲେ। ଫଳରେ ପାଣ୍ଡିଆନଙ୍କ ଉପରେ ଅନେକ ନେତା ଅସନ୍ତୋଷ ବ୍ୟକ୍ତ କରିଥିଲେ। ନବୀନଙ୍କୁ ପଛରେ ରଖି ପାଣ୍ଡିଆନ ଦଳକୁ ଚଳାଉଛନ୍ତି ବୋଲି କହି ବୁଲିଲେ।

ଗତ ବର୍ଷେ ମଧ୍ୟରେ ଅନେକ ବିଜେଡି ନେତା ଦଳ ଛାଡି ବିଜେପିରେ ମିଶିବାରେ ଲାଗିଛନ୍ତି। ଦଳରେ ନଥାଇ ପାଣ୍ଡିଆନ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାର ଉଦାହରଣ 2024 ନିର୍ବାଚନରେ ସମସ୍ତେ ଦେଖିଛନ୍ତି। ଗଣମାଧ୍ୟମରେ ନେତା ମାନଙ୍କର ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ଅସନ୍ତୋଷ ପୁର୍ଣ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି | ପାଣ୍ଡିଆନଙ୍କ ବିରୁଦ୍ଧରେ ବିଭିନ୍ନ ସମାଲୋଚନା ପୂର୍ଣ୍ଣ ମନ୍ତବ୍ୟ ଶୁଣିଲା ପରେ ନବୀନ ଭିଡିଓ ମାଧ୍ୟମରେ ତାଙ୍କୁ କ୍ଲିନ ଚିଟ ଦେଇଥିଲେ | ଏବଂ ପାଣ୍ଡିଆନ ଏବେ ଦଳ କଥା ବୁଝୁନାହାନ୍ତି ବୋଲି ମଧ୍ୟ କହିଥିଲେ | ଉପ ନିର୍ବାଚନ ପାଇଁ ବିଜେଡିର ସବୁ ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକେଇଥିବା ବେଳେ ଅନ୍ୟପଟେ କିଛି ନେତା ଦଳ ଛାଡ଼ୁଛନ୍ତି। ନିକଟରେ ବିଜେଡି ଦଳର ଆଇଟି ପ୍ରମୁଖ ଅମର ପଟ୍ଟନାୟକ ଦଳ ଛାଡି ବିଜେପି ରେ ମିଶିଛନ୍ତି। ପୂର୍ବରୁ ଜୟ ଢୋଲକିଆଙ୍କର ବିଜେପିରେ ମିଶିବାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ କଥା ହେଲା ଏତେ ସବୁ ପରେ ମଧ୍ୟ ବିଜେଡି ଦଳର ଅସ୍ତିତ୍ୱକୁ ନେଇ ଯେଉଁ ସବୁ ପ୍ରଶ୍ନ ଉଠୁଥିଲା, ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ ପରେ ଏହାର ପୂର୍ଣ୍ଣଛେଦ ପଡିଛି । କିନ୍ତୁ 2024 ନିର୍ବାଚନର ଷ୍ଟାର ପ୍ରଚାରକ ପାଣ୍ଡିଆନ ଗଲେ କୁଆଡେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି |

ସକ୍ରିୟ ରାଜନୀତିରୁ ଅବସର ନେଇଥିଲେ ମଧ୍ୟ ପାଣ୍ଡିଆନ କିଭଳି ବିଜେଡ଼ି ଦଳକୁ ଚଳାଉଛନ୍ତି ବୋଲି ରାଜନୀତିରେ ଚର୍ଚ୍ଚା ଜାରି ରହିଛି । ହେଲେ ନୂଆପଡ଼ା ଉପନିର୍ବାଚନରେ ପାଣ୍ଡିଆନଙ୍କ ଦେଖା ମିଳୁ ନାହିଁ | ଯଦି ପାଣ୍ଡିଆନ୍‌ ଦଳର କଥା ବୁଝୁନାହାନ୍ତି ତେବେ ନୂଆପଡ଼ାର ନିର୍ବାଚନର ଡୋରି କାହା ହାତରେ | ଦଳର ରଣନୀତି କିଏ ନିର୍ଦ୍ଧାରଣ କରୁଛନ୍ତି ? ଦେବୀ ମିଶ୍ର ନା ବବି ଦାସ ? ରାଜନୀତିକ ମହଲରେ ଏମିତି ପ୍ରଶ୍ନ ସ୍ୱାଭାବିକ ଭାବେ ଘୂରି ବୁଲୁଛି ।

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେ ସଫେଇ ଦେଲେ ବି ୨୦୨୪ ନିର୍ବାଚନରେ ବିଜେଡି ହାରିବାର ପ୍ରମୁଖ କାରଣ ପାଣ୍ଡିଆନ୍‌ ବୋଲି ଅନେକ ନେତାଙ୍କ ମନରେ ଧାରଣା ରହିଛି । ଦଳର ଯୁବ ଓ ଛାତ୍ର ନେତାମାନେ ବି ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ଯଦି ନୂଆପଡ଼ାରେ ବିଜେଡ଼ି ନିଶ୍ଚିତ ବିଜୟ ହାସଲ କରିବାର ଥାଆନ୍ତା ତେବେ ସୁଜାତା କାର୍ତିକେୟନଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଛିଡା କରିଥାନ୍ତା, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡାରେ ବିଜେଡି ପ୍ରାର୍ଥୀ କରି ନ ଥାନ୍ତା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ