ଭୋଟ ଦେଇ ନିଜର ମତଦାନ ଅଧିକାରକୁ ସାବ୍ୟସ୍ତ କଲେ ଜୟ ଢୋଲକିଆ
ନୂଆପଡ଼ା;୧୧|୧୧: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ସମୟରେ ଆଜି ନେତାଙ୍କ ଭାଗ୍ୟ ପରୀକ୍ଷା ସ୍ୱୟଂ ନୂଆପଡା ବାସିନ୍ଦା କରିବେ | ତେବେ ଏହି ମତଦାନରେ ପ୍ରାର୍ଥୀମାନେ କେଉଁଠି ପଛରେ ରହିବେ | ଉପନିର୍ବାଚନ ଲାଗି ନିଜର ମତଦାନ ଅଧିକାରକୁ ସାବ୍ୟସ୍ତ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଲମ୍ବାଧାଡ଼ିରେ ଠିଆ ହୋଇ ଜୟ ସାଧାରଣ ମତଦାତାଙ୍କ ଭଳି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।
ପୂର୍ବରୁ ସେ ସକାଳେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଢୋଲକିଆ ପରିବାର ସେମାନଙ୍କର ମତଦାନ କରିଛନ୍ତି। ଭୋଟ୍ ଦେବା ପରେ ଜୟ ଢୋଲକିଆ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ରହି ନିଜ କାମ ଭାବି ନୂଆପଡ଼ାବାସୀଙ୍କ ସମସ୍ୟାର ସମାଧାନ କରିବା ମୋର ଏକମାତ୍ର ଲକ୍ଷ୍ୟ। ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହେଉଛନ୍ତି ଜୟ।
ଏପଟେ ଆଜି ସକାଳେ ମତଦାନ ଲାଗି ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି ମତଦାତାମାନେ ଉତ୍ସାହର ସହିତ ମତଦାନ କରୁଛନ୍ତି। ବୁଥ ସାମ୍ନାରେ ଯୁବପିଢ଼ି, ମହିଳା ଓ ନବାଗତ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ମତଦାତାମାନେ ଲାଇନ୍ ଲଗାଇଛନ୍ତି। ପୂର୍ବାହ୍ଣ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୫ଟା ଯାଏଁ ଜାରି ରହିବ। ଅତି ସମ୍ବେଦନଶୀଳ ସ୍ଥାନରେ ମତଦାନ ଅପରାହ୍ଣ ୪ଟାରେ ଶେଷ କରାଯିବାର ଲକ୍ଷ୍ୟ ରହିଛି। ତେବେ ନିର୍ଦ୍ଧାରିତ ସମୟ ସରିଗଲା ପରେ ଯଦି ମତଦାତାମାନେ ବୁଥ ପରିସରରେ ଥିବେ ସେମାନେ ତାଙ୍କର ଅଧିକାର ସାବ୍ୟସ୍ତ କରିପାରିବେ।

