ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସରେ ସମ୍ମାନିତ ହେଲେ ଦୁଇ ମହିଳାଚାଷୀ
କଳାହାଣ୍ଡି, ୧୨/୧୧-ଗତ ୧୦ ଓ ୧୧ ତାରିଖ ଦୁଇଦିନ ବ୍ୟାପି ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁଇଜଣ ମହିଳା ଚାଷୀ ସାଇବେନି ମାଝୀ ଓ ବାସନ୍ତୀ ହରିଜନ। ମାଣ୍ଡିଆ ଓ ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟ ଉତ୍ପାଦନ ଓ ସଂରକ୍ଷଣ ଜରିଆରେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଶ୍ରୀଅନ୍ନ ଅଭିଯାନ ଏବଂ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନସାହାଯ୍ୟ ତରଫରୁ ଉପଯୁକ୍ତ ତାଲିମ ଓ ମାର୍ଗଦର୍ଶନ ବଳରେ ସେମାନେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗାଁର ବାସନ୍ତୀ ଶ୍ରୀଅନ୍ନ ଅଭିଯାନ ଜରିଆରେ ମାଣ୍ଡିଆ, କୋଶଲା, ଖେଡଜନା, ବାଜରା, କାଙ୍ଗୁ, କୋଦୋ ଓ ଝାରି ଚାଷ କରିବା ସହିତ ପନିପରିବା, ଡାଲି ଜାତୀୟ, ତୈଳବୀଜ, ମସଲା, ଧାନ ଏବଂ ମକା ଚାଷ କରୁଛନ୍ତି। ବିଭିନ୍ନ ଖାଦ୍ୟଶସ୍ୟ ଓ ପାରମ୍ପରିକ ବିହନ ସଂରକ୍ଷଣରେ ନିଜର ଦକ୍ଷତା ଯୋଗୁଁ ସାଧାରଣରେ ତାଙ୍କୁ ବିହନ ରାଣୀ ଭାବେ ସମ୍ବୋଧନ କରାଯାଇଥାଏ। ସେହିପରି ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁର ସାଇବେନି ମାଝୀ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କରି ନିଜର ୨ ହେକ୍ଟର ଜମିରୁ ୩୧ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାରମ୍ପରିକ ଜ୍ଞାନକୌଶଳରେ ଚାଷ ସହିତ ମିଲେଟ ଜାତୀୟ ଶସ୍ୟର ଉତ୍ପାଦନ, ସଂରକ୍ଷଣରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଅଞ୍ଚଳରେ ତାଙ୍କୁ ମିଲେଟ ମା ବୋଲି କୁହାଯାଇଥାଏ। ଉଭୟ ମହିଳା ଚାଷୀଙ୍କୁ ସ୍ବେଛାସେବୀ ସଂଗଠନ ଜନସାହାଯ୍ୟ ପକ୍ଷରୁ ତାଲିମ ଦିଆଯିବା ସହିତ ଲଗାତାର ମାର୍ଗଦର୍ଶନ କରାଯାଉଛି। ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ବମପତି ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉଭୟଙ୍କୁ ମାନପତ୍ର, ଉପଢୌକନ ସହିତ ସମ୍ବର୍ଦ୍ଧିତ କରିବା ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶୁଭେନ୍ଦୁ କର, ଲାଞ୍ଜିଗଡ଼ ବ୍ଲକ ଭାରପ୍ରାପ୍ତ କୃଷି ଅଧିକାରୀ ପ୍ରବୀଣ ସାହୁ, ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ଯୋଜନା ଅଧିକାରୀ ଯୋଗମାୟା ପଟ୍ଟନାୟକ, ଜନସାହାଯ୍ୟର ସମ୍ପାଦିକା ଅନ୍ୱେଷିତା ସାମଲ, ଶ୍ରୀ ଅନ୍ନ ଅଭିଯାନର ପ୍ରକଳ୍ପ ପରିଚାଳକ ପୂର୍ଣ୍ଣେନ୍ଦୁ ପଣ୍ଡା, ସହକାରୀ ପ୍ରକଳ୍ପ ପରିଚାଳକ ସୁବାସ ନାୟକ ପ୍ରମୁଖ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

