ଗଜପତି ଜିଲ୍ଲା କାଶୀନଗର ବ୍ଲକର ମିନିଗାଁ ଠାରେ ଅଜଣା ଗାଡି ଧକ୍କାରେ ଚାଷୀଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି:୧୪/୧୧(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଗ୍ରାମ ମୁଖ୍ୟ ସଡକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମିନିଗାଁ ଗ୍ରାମର ଆର୍. ଦୁର୍ଗାରାଓ ନାମକ ଜଣେ ଚାଷୀ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ସ୍ନାନ କରିବା ପାଇଁ ଗ୍ରାମ ନିକଟସ୍ଥ ତଥା କାଶୀନଗର ମୁଖ୍ୟରାସ୍ତା ତଟରେ ଥିବା ପୋଖରୀକୁ ଯାଇଥିଲେ । ସେଠାରୁ ସେ ଘରକୁ ଫେରିବା ସମୟରେ କୌଣସି ଏକ ଅଜଣା ଗାଡି ଧକ୍କାଦେଇ ଚାଲିଯାଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ଘଟଣାସ୍ଥଳରେ ହିଁ ଦୁର୍ଗାରାଓଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ସମ୍ପର୍କରେ କାଶୀନଗର ପୋଲିସ ଖବର ପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବିଳମ୍ବିତ ରାତ୍ର ସମୟରେ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଦିଆଯାଇଥିଲା । ଆଜି ମୃତ ଦୁର୍ଗାରାଓଙ୍କ ଶବବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଜଣାଯାଇଛି । ଅନ୍ୟପକ୍ଷରେ ମିନିଗାଁ ଗ୍ରାମର ମୁଖ୍ୟରାସ୍ତା ତଟରେ ଥିବା ଏହି ପୋଖରୀ ନିକଟେର ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଅନେକଙ୍କ ଜୀବନ ଚାଲିଯାଇଛି । ଏପରି ଅଜଣା ଗାଡି ଧକ୍କା ଦୁର୍ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାର ଆଲୋଚନା ଜୋର୍ ଧରିଛି ।

