ବିଶ୍ୱନାଥପୁରରେ ଉଦଘାଟିତ ହେଲା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ
କଳାହାଣ୍ଡି,୦୫/୦୨- ଦୀର୍ଘ ଦିନର ଦାବି ଓ ଅଞ୍ଚଳବାସୀଙ୍କ ପ୍ରତୀକ୍ଷା ଆଜି ଶେଷ ହୋଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ବିଶ୍ୱନାଥପୁରଠାରେ ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଆଜି ରାଜ୍ୟର ୫୭ ଗୋଟି ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ପ୍ରମୁଖ ଭିଡିଓ କନଫରେନସିଂ ଜରିଆରେ ଏସବୁର ଲୋକାର୍ପଣ କରିଛନ୍ତି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ବିଶ୍ୱନାଥପୁର ପରିସରରେ ଏହା ଲୋକାର୍ପିତ ହୋଇଥିଲା। ଏଥିରେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁର, ବ୍ଲକର ୨୬ଗୋଟି ପଞ୍ଚାୟତର କେନ୍ଦ୍ରସ୍ଥଳରେ ଥିବାବେଳେ ଦୀର୍ଘ ଚାରିଦଶନ୍ଧିରୁ ଅଧିକ ସମୟ ହେଲା ଏଠାରେ ବ୍ଲକ, ତହସିଲ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ସ୍ଥାପିତ ହୋଇଛି। ସେହିପରି ବ୍ଲକର ସମସ୍ତ ଅଞ୍ଚଳରୁ ବିଶ୍ୱନାଥପୁରକୁ ସମ ଦୂରତା ଓ ସମସ୍ତ ପ୍ରକାର ଯୋଗାଯୋଗ ସୁବିଧା ରହିଥିବାରୁ ଏଠାରେ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଅଞ୍ଚଳର ବିକାଶ ଦିଗରେ ଏକ ନୂତନ ଫର୍ଦ୍ଦ ଯୋଡ଼ିହେଲ ବୋଲି ଆଲୋଚନା ହେଉଛି। ଏବେ ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତ, ନଅଗୋଟି ରାଜସ୍ବ ସର୍କଲର ସମୁଦାୟ ୪୮୩ଗୋଟି ରାଜସ୍ୱ ଗାଁର ଲୋକେ ଜମିଜମା ସଂକ୍ରାନ୍ତୀୟ କାରବାରରେ ଏହି କାର୍ଯ୍ୟାଳୟ ଦ୍ୱାରା ଲାଭବାନ ହେବେ। ବିଶ୍ୱନାଥପୁରଠାରେ ନୂତନ ଭାବେ ଲୋକାର୍ପିତ ସବ- ରେଜିଷ୍ଟ୍ରାର କାର୍ଯ୍ୟାଳୟର ସବ- ରେଜିଷ୍ଟ୍ରାର ଭାବେ ଲାଞ୍ଜିଗଡ଼ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ଏଠାରେ ରେଜିଷ୍ଟ୍ରେସନ କାର୍ଯ୍ୟ ଓ ବିବାହ ପଞ୍ଜିକରଣ ଆରମ୍ଭ ହେବ ଏବଂ ସଂପୂର୍ଣ୍ଣ ଭାବେ ଅନଲାଇନ ଜରିଆରେ ବିନା କୌଣସି ମଧ୍ୟସ୍ଥିରେ ଏହା ସମ୍ଭବ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିର ଲୋକାର୍ପଣ ଅବସରରେ କୁହାଯାଇଛି। ବିଶ୍ୱନାଥପୁରଠାରେ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନକୁ ବ୍ଲକ ଅଞ୍ଚଳବାସୀ ସ୍ୱାଗତ କରିବା ସହିତ ବିଭିନ୍ନ ସ୍ଥାନରେ ‘ରାଜ୍ୟ ସରକାରଙ୍କୁ ଧନ୍ୟବାଦ, ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ’ ଲେଖାଥିବା ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ଏପରିକି ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ମିଠା ବାଣ୍ଟି ବହୁ ସଂଖ୍ୟାରେ ଲୋକେ ଖୁସି ମନାଉଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ବିଶ୍ୱନାଥପୁରଠାରେ ନୂତନ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନକୁ ବିରୋଧ କରି ଲାଞ୍ଜିଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଶ୍ୱନାଥପୁରସ୍ଥିତ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବା ଆଶଙ୍କା କରି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବଳ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ।

