କଳାହାଣ୍ଡି: ପେଟ ଚାଖଣ୍ଡକ ପୋଷିବା ପାଇଁ ଘରୁ ଗୋଡ଼ କାଢ଼ି ସୁଦୂର ତାମିଲନାଡୁର କୋଇମ୍ବାଟରକୁ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାତେଲିମା ଗାଁର ବସନ୍ତ ହରିଜନ ! ସେଠାରେ ରହି କୁଲିମଜୁରି କାମ କରି ନିଜ ପେଟ ପୋଷିବା ସହିତ ଦୁଇପଇସା ନିଜ ପରିବାର ପ୍ରତିପୋଷଣ ପାଇଁ ରୋଜଗାର କରୁଥିଲେ ! ତେବେ ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ବସନ୍ତଙ୍କ ପାଇଁ ସେଠାରେ ଦୁର୍ଭାଗ୍ୟ ସତେ ଯେମିତି ଅପେକ୍ଷା କରି ରହିଥିଲା ! ଗୁରୁବାର ସନ୍ଧ୍ୟାରେ କାମ ସାରି ରାସ୍ତା କଡ଼ରେ ଚାଲିଯାଉଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା ! ଏଥିରେ ବସନ୍ତ ଗୁରୁତର ହୋଇ ରାସ୍ତାକଡ଼ରେ ପଡ଼ିଯାଇଥିଲେ ! ତାଙ୍କୁ ଗୁରୁତର ଭାବେ ରାସ୍ତାକଡ଼ରୁ ଉଦ୍ଧାର କରି କୋଇମ୍ବାଟୁର ପୁଲିସ ସେଠାକାର ସିଏମ୍ ସି ହସ୍ପିଟାଲରେ ଭର୍ତ୍ତି କରିଥିଲା ! ତାଙ୍କର ଅଣ୍ଟା ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ସେ ହସ୍ପିଟାଲର ଆଇସିୟୁ ବେଡ୍ ରେ ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି ! ଏ ସଂପର୍କରେ ଖବର ପାଇ ତାଙ୍କର ଜଣେ ସଂପର୍କୀୟ ଭାଇ ଓ ତାଙ୍କ ସ୍ତ୍ରୀ ଘରୁ ବାହାରି ଆଜି ସକାଳୁ ଉଭୟ କୋଇମ୍ବାଟୁରରେ ପହଞ୍ଚିଛନ୍ତି ! ତେବେ ଗୁରୁତର ବସନ୍ତ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କ ପରିବାର ଉପରେ ବିପଦର ପାହାଡ଼ ଛିଣ୍ଡି ପଡ଼ିଛି ! ବସନ୍ତଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାବେଳେ ତାଙ୍କୁ ସରକାରୀ ସହାୟତା ଆବଶ୍ୟକ ହେଉଛି ! ଏଣୁ ତାଙ୍କୁ ଓଡ଼ିଶା ସରକାର ଓ ଶ୍ରମ ବିଭାଗ ତୁରନ୍ତ ଦ୍ରୁଷ୍ଟି ଦେଇ ସହାୟତାର ହାତ ବଢ଼ାଇବା ଓ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି !