ଯୁବତୀଙ୍କୁ ପିକ୍ ଅପ୍ ଭ୍ୟାନରେ ଅପହରଣ ସମୟରେ ଉଦ୍ଧାର କଲେ ଲୋକେ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର


କଳାହାଣ୍ଡି: ଏକ ପିକଅପ୍ ଭ୍ୟାନରେ ଜଣେ ଯୁବତୀଙ୍କୁ ଚାରିଜଣ ଯୁବକ ଅପହରଣ କରିନେଉଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ଯୁବତୀଙ୍କୁ ପୁଲିସ ଜିମାରେ ଦେଇଛନ୍ତି । ଏଇ ଘଟଣାରେ ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଆଜି ସକାଳ ନଅଟା ସମୟରେ କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ୪ ଜଣ ଯୁବକ ଏକ ପିକଅପ୍ ଭ୍ୟାନରେ ଜୋରଜବରଦସ୍ତି ଅପହରଣ କରି ନେଉଥିବାବେଳେ ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଛକ ନିକଟରେ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପିକଅପ୍ ଭ୍ୟାନଟିକୁ ଅଟକାଇବାରୁ ଘଟଣା ସଂପର୍କରେ ଜଣା ପଡ଼ିଥିଲା । ଗ୍ରାମବାସୀ ଯୁବତୀଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେବାସହ ଚାରିଜଣ ଯୁବକଙ୍କୁ ଅଟକାଇ ରଖିବାକୁ ଚେଷ୍ଟା କରିଥିଲେ । ତେବେ କୌଶଳ କ୍ରମେ ଜଣେ ଯୁବକ ଖସି ପଳାଇଥିବାବେଳେ ପିକଅପ୍ ଭ୍ୟାନର ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ କଦମ୍ବଗୁଡ଼ା ଗ୍ରାମବାସୀ। ପୁଲିସ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ ଓ ବିଶ୍ବନାଥ ମହଲା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପହରଣର ଶିକାର ଯୁବତୀଙ୍କ ସମେତ ୩ ଜଣ ଯୁବକଙ୍କୁ ସିକେରକୁପା ଫାଣ୍ଡିକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି । ଘଟଣା ସଂପର୍କରେ ଅଧିକ ତଦନ୍ତ ପାଇଁ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ମଧ୍ୟ ସିକେରକୁପା ଫାଣ୍ଡିରେ ପହଞ୍ଚିଥିବା ଜଣାପଡ଼ିଛି । ଅପରପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶ୍ବନାଥପୁର ଥାନା ବକଟପୁରର ଜୟନ୍ତ ହରପାଲ ଫେରାର ଥିବା ପୁଲିସ କହିଛି । ତେବେ ଏନେଇ ପୁଲିସର ତଦନ୍ତ ଜାରି ରହିଛି ।