Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବଙ୍ଗତ କ୍ୟାନସର ରୋଗୀଙ୍କ ପରିବାରକୁ ସହାୟତା

କଳାହାଣ୍ଡି,୧୧/୦୩- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଗଜରାଜପୁର ଗାଁର କ୍ୟାନସର ରୋଗୀ ହରି ବିଶି ଚିକିତ୍ସାଧୀନ ଭାବେ ମୃତ୍ୟୁବରଣ କରିଛନ୍ତି। ତେବେ ତାଙ୍କ ଜୀବିତାବସ୍ଥାରେ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ନିବେଦନ କରାଯାଇଥିବାବେଳେ ତାଙ୍କର ଅକସ୍ମାତ ବିୟୋଗ ପରେ ଲୋକଙ୍କଠାରୁ ସଂଗୃହୀତ ଅର୍ଥରାଶି ତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ସ୍ବର୍ଗତ ହରି ବିଶିଙ୍କ ଦଶାହ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ଗଜରାଜପୁର ଗାଁର ହରି ବିଶି ଗତ କିଛି ବର୍ଷ ହେଲା କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ହସ୍ପିଟାଲରେ ବ୍ୟୟ ବହୁଳ ଚିକିତ୍ସା ଯୋଗୁଁ ପରିବାର ଲୋକେ ସର୍ବସ୍ୱାନ୍ତ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇଁ ତାଙ୍କ ଚିକିତ୍ସା ସହାୟତା ପାଇଁ ଆଗକୁ ଆଗେଇ ଆସିଥିଲେ “ଆମେ ବିପଦର ବନ୍ଧୁ” ହ୍ଵାଟ୍ସଆପ ଗ୍ରୁପର ସଦସ୍ୟମାନେ। ଗ୍ରୁପର ୩୩୮ ଜଣ ସଦସ୍ୟଙ୍କ ମଧ୍ୟରୁ ତିରିଶ ଜଣ ସଦସ୍ୟ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାବେଳେ ଦୁର୍ଭାଗ୍ୟବଶତଃ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ତାଙ୍କ ଚିକିତ୍ସା ପାଇଁ ଆଦାୟ ହୋଇଥିବା ଅର୍ଥରାଶି ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଆଜି ତାଙ୍କ ଦଶାହ କ୍ରିୟା ପୂର୍ବରୁ ଗ୍ରୁପର କର୍ମକର୍ତ୍ତା ତାଙ୍କ ଘରକୁ ଯିବା ସହିତ ଏହି ଅର୍ଥରାଶି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ “ଆମେ ବିପଦର ବନ୍ଧୁ” ଗ୍ରୁପର ଉପଦେଷ୍ଟା ତଥା ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସୀ ଅଫିସର ରବୀନ୍ଦ୍ର କୁମାର ସାହୁ, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ରଙ୍କ ସହିତ ଗ୍ରୁପର ଆବାହକ ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ, ଗୋପାଳଦାସ ମହାନନ୍ଦ, ସଦସ୍ୟ ଜୟନ୍ତ କୁମାର ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ରାଶି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଅଞ୍ଚଳର ଦୁଃଖି, ଅସହାୟ ଓ ନିଃସ୍ୱ ରୋଗୀ ଓ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ କିଛି ବର୍ଷ ତଳେ ସୃଷ୍ଟି ହୋଇଥିବା ଏହି ହ୍ଵାଟ୍ସଆପ ଗ୍ରୁପରେ ୩୩୮ଜଣ ସଦସ୍ୟ ଥିବାବେଳେ ଦୁସ୍ଥ ଓ ନିଃସହାୟ ଲୋକଙ୍କ ଅସୁବିଧା ସମୟରେ ଛିଡ଼ା ହୋଇଥାନ୍ତି। ବିଭିନ୍ନ ଜାତି- ଧର୍ମ – ସମ୍ପ୍ରଦାୟଙ୍କ ମଧ୍ୟରେ ଘୃଣାର ପ୍ରସାର ସହିତ ବିଷମଞ୍ଜି ବୁଣିବା ନାଁରେ ସାମାଜିକ ଗଣମାଧ୍ୟମ ହ୍ଵାଟ୍ସଆପ ଏକପ୍ରକାର ନିନ୍ଦିତ ହେଉଥିବାବେଳେ ହ୍ଵାଟ୍ସଆପ ୟୁନିଭର୍ସିଟି ଦ୍ୱାରା ପ୍ରାପ୍ତ ଜ୍ଞାନ ନାଁରେ ମଧ୍ୟ ଏହାକୁ ସମାଲୋଚନା କରାଯାଇଆସୁଛି। ଏହି ପରିପ୍ରେକ୍ଷୀରେ ଅସୁବିଧାରେ ଥିବା ଗରିବ ଓ ଅସହାୟ ବ୍ୟକ୍ତିବିଶେଷଙ୍କୁ ସହାୟତାର ହାତ ବଢ଼ାଇବାରେ ଏହି ହ୍ଵାଟ୍ସଆପ ଗ୍ରୁପ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକେ ଏହି ଗ୍ରୁପର ସଦସ୍ୟ ଥିବାବେଳେ ଦୁଃଖୀରଙ୍କିଙ୍କ ସମସ୍ୟା ସମ୍ପର୍କରେ ସୂଚନା ପାଇଲେ ସେମାନେ ଆଗେଇ ଆସିବା ଏକ ଉଲ୍ଲେଖନୀୟ ବିଷୟ ଅଟେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେହିପରି ସଂଗୃହୀତ ଅର୍ଥରାଶି ସମ୍ପୃକ୍ତ ବ୍ୟକ୍ତିବିଶେଷ କିମ୍ବା ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା, ଦାତାଙ୍କ ପ୍ରଦତ୍ତ ଅର୍ଥରାଶି ସମ୍ପର୍କରେ ସଠିକ ସୂଚନା ଦେବା ଏହି ଗ୍ରୁପର ବିଶ୍ୱସନିୟତାକୁ ପ୍ରମାଣିତ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଆଜି ଆର୍ଥିକ ସହାୟତା ପ୍ରଦାନ ପରେ ସ୍ବର୍ଗତ ହରି ବିଶିଙ୍କ ପରିବାର ଆଶ୍ୱସ୍ତ ହେବା ସହିତ ଗ୍ରୁପର ସମସ୍ତ ଦାତା ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ