ନୂଆଦିଲ୍ଲୀ: ହୋମ-ପୂଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ଦେଶକୁ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡ଼ୁର ଅଧୀନମଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସେଙ୍ଗୋଲକୁ ନୂତନ ସଂସଦ ଭବନରେ ସ୍ଥାପନ କରିଛନ୍ତି। ସେ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି ଏବଂ ସାଧୁଙ୍କ ଆଶୀର୍ବାଦ ନେଇଛନ୍ତି। ଉଦଘାଟନ ସମାରୋହରେ ପାଖାପାଖି ଘଣ୍ଟାଏ ଧରି ହୋମ-ପୂଜା ଚାଲିଥିଲା ଏବଂ ପୂରା ଭବନ ବୈଦିକ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜି ଉଠିଥିଲା। ଏହି ସମୟରେ ପିଏମ ମୋଦୀଙ୍କ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ।
ନୂତନ ସଂସଦ ଭବନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଶ୍ରମିକମାନଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ ଏହି ନୂତନ ଭବନର ନିର୍ମାଣରେ ନିଜର ଯୋଗଦାନ ଦେଇଛନ୍ତି। ସଂସଦ ଭବନର ଉଦଘାଟନ ଉପଲକ୍ଷେ ତାମିଲନାଡ଼ୁରୁ ୨୨ ସନ୍ଥ ଦିଲ୍ଲୀ ଆସିଛନ୍ତି। ନୂତନ ସଂସଦ ଭବନର ନିର୍ମାଣ ୮୬୨ କୋଟି ଟଙ୍କା ବଜେଟରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଆଧାରରେ କରାଯାଇଛି। ଏହି ଭବନରେ ଲୋକସଭା ଏବଂ ରାଜ୍ୟସଭା ବ୍ୟତୀତ ଏକ ମିଳିତ ଅଧିବେଶନ ପାଇଁ ଏକ ବଡ଼ ହଲ୍ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଥିରେ ୧୨୭୨ ସାଂସଦଙ୍କ ବସିବାର ବ୍ୟବସ୍ଥା ରହିଛି। ଏବେ ନୂତନ ସଂସଦ ଭବନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଯିବ। ଅନ୍ୟପଟେ ପୁରୁଣା ସଂସଦ ଭବନର ବ୍ୟବହାର ସଂସଦୀୟ କାର୍ଯ୍ୟରେ ଉପଯୋଗ କରାଯିବ।
ଅଲଗା ଅଲଗା ଧର୍ମର ହେଲା ପ୍ରାର୍ଥନା
ଉଦଘାଟନ ସମୟରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ପୁରୁଣା ସଂସଦ ଭବନ ପରିସରରେ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତୀମାରେ ପୁଷ୍ପ ଅର୍ପଣ କରିଥିଲେ। ଏହା ପରେ ହୋମା ପୂଜା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ମୁଣ୍ଡିଆ ମାରିବା ସହ ଏହାକୁ ସଂସଦ ଭବନରେ ସ୍ଥାପନ କରିଛନ୍ତି। ଏହି ଅବସରରେ ଅଲଗା ଅଲଗା ଧର୍ମର ପ୍ରାର୍ଥନା କରାଯାଇଛି। ପୂଜାରୀ, ମୌଲବୀ ଏବଂ ପାଦରୀ ନିଜ ନିଜ ଧର୍ମ ଅନୁସାରେ ପ୍ରାର୍ଥନା କରିଛନ୍ତି।
ବିରୋଧୀ ପାର୍ଟି କଲେ ବହିଷ୍କାର
ନୂତନ ସଂସଦ ଭବନର ଉଦଘାଟନ ସମାରୋହକୁ ବିରୋଧୀ ଦଳ ବହିଷ୍କାର କରିଛନ୍ତି। ଏହି ସମୟରେ ୧୮ଟି ଦଳ ସରକାରଙ୍କ ସହିତ ଥିବା ବେଳେ ୨୯ ଦଳ କାର୍ଯ୍ୟକ୍ରମକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର କହିବା କଥା ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ଵାରା ହେବା ଉଚିତ୍ ଥିଲା।