ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ଡ. ପବନ କୁମାର ଅଗ୍ରୱାଲ
କଳାହାଣ୍ଡି , ୦୬/୦୪-ରାଜ୍ୟପାଳ ତଥା କୁଳାଧିପତିଙ୍କ ଆଦେଶ କ୍ରମେ ଆଜି ରାଜ୍ୟର ୧୧ଗୋଟି ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କ ନାମ ଘୋଷଣା କରାଯାଇଛି। ଏହିକ୍ରମରେ ଦୀର୍ଘଦିନ ଧରି କାମଚଳା କୁଳପତିଙ୍କ ଦ୍ୱାରା ଚାଲୁଥିବା ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଡ. ପବନ କୁମାର ଅଗ୍ରୱାଲଙ୍କ ନାମ ଘୋଷଣା କରାଯାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଜନ୍ମିତ ଡ. ଅଗ୍ରୱାଲ ଗତ ୨୦୧୯ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ର ଭାବେ ସେ ୧୯୮୫ରେ ବିଏସସି (ଏଗ୍ରୋ) ଶିକ୍ଷା ଗ୍ରହଣ ପରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ, ଲୁଧିଆନାରେ ଏମଏସସି (ଉଦ୍ଭିଦ ପ୍ରଜନନ) ଓ ୧୯୮୯ରେ ପି.ଏଚ୍.ଡି (ଉଦ୍ଭିଦ ପ୍ରଜନନ) ଡିଗ୍ରୀ ହାସଲ କରିଥିଲେ। ଆଜି ତାଙ୍କ ନାମ ଘୋଷଣା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।ତାଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏଲୁମନି ଏସୋସିଏସନର ଅଧ୍ୟକ୍ଷ ଡ. ବାବା ମିଶ୍ର ଓ ସାଧାରଣ ସଂପାଦକ ଡ. ଭବାନୀଶଙ୍କର ନିଆଲ ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷରେ, ତାଙ୍କ ନାମ ଘୋଷଣା ପରେ ଡ. ଅଗ୍ରୱାଲ କଳାହାଣ୍ଡି ମାଟିର ସେବା କରିବାକୁ ଏକ ସୁଯୋଗ ମିଳିଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

