Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଶ୍ୱନାଥପୁର ଆସୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ : ସ୍ୱାସ୍ଥ୍ୟ ସମସ୍ୟା ଉପରେ ନଜର ପଡ଼ିଲେ ହେଲା

କଳାହାଣ୍ଡି,୦୭/୦୫-କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ।୨୬ଗୋଟି ଗ୍ରାମପଞ୍ଚାୟତରେ ବିଭକ୍ତ ଥିବା ଏହି ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ଅଟେ। ବ୍ଲକ ଅଞ୍ଚଳରେ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଆଦିବାସୀ ବହୁଳ ଏହି ଅଞ୍ଚଳରେ ସେସବୁ ସଠିକ ସମୟରେ ପହଞ୍ଚି ପାରୁନାହିଁ। ଏହିପରି ଭାବରେ ବ୍ଲକରେ ଭିତ୍ତିଭୂମି ଅଭାବ, ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ଏକ ପ୍ରକାର ରୁଗ୍ଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସୁଥିବା ଜଣାପଡିବା ପରେ ବ୍ଲକ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର ହୋଇଛି। କାରଣ ଲାଞ୍ଜିଗଡ଼ ବ୍ଲକରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ରେ ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ମଧୁପୁର, ଲାଞ୍ଜିଗଡ଼ରୋଡ଼, ବେନଗାଁଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ତେବେ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିଗିଡ଼ି ଯାଇଥିବାବେଳେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଣା ଘର ଯୋଗୁଁ ଡାକ୍ତର ଓ କର୍ମଚାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୨୬ରୁ ପ୍ରାୟ ୨୦ ପଞ୍ଚାୟତ ବାସିନ୍ଦା ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ତେବେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଏଠାରେ ଅଲଟ୍ରାସାଉଣ୍ଡ ମେସିନର ଆବଶ୍ୟକତା ଥିବାବେଳେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହେତୁ ଏଠାରେ ଏକ୍ସରେ ମେସିନ ଲଗାଇବା ଆବଶ୍ୟକତା ରହିଛି। ସେହିପରି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ସମେତ ଭେଷଜ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି। ସେହିପରି ୮ଜଣ ଷ୍ଟାଫ ନର୍ସଙ୍କ ସ୍ଥାନରେ ୪ଟି ପଦବୀ ଖାଲି ପଡ଼ିଛି। ୩ଜଣଙ୍କ ଜାଗାରେ ଜଣେ ଫାର୍ମାସିଷ୍ଟ ଦାୟିତ୍ୱ ତୁଲାଉଛନ୍ତି। ୩ ଜଣ ଲାବେରିଟରୀ ଟେକ୍ନିସିଆନଙ୍କ ଜାଗାରେ ଜଣେ ଦାୟିତ୍ୱରେ ଅଛନ୍ତି। ଦୀର୍ଘ ଆଠ ବର୍ଷ ହେଲା ଖାଲି ପଡ଼ିଛି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପଦବୀ। ଜଣେ କର୍ମଚାରୀ କାମଚଳା ଜନସ୍ବାସ୍ଥ୍ୟ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ବ୍ଲକର ଚାରିଗୋଟି ସେକ୍ଟର ପାଇଁ ୩ଜଣ ପରିଦର୍ଶକ ଥିବାବେଳେ ୫ଟି ପଦବୀ ଖାଲି ପଡ଼ିଛି। ରୋଗୀଙ୍କ ଆବଶ୍ୟକତା ଅନୁସାରେ ନିରାମୟ ଯୋଜନାରୁ ଔଷଧ ଯୋଗାଇ ଦିଆଯାଉନାହିଁ। ଅପରପକ୍ଷରେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ୧୫କୋଟିରୁ ଅଧିକ ଅର୍ଥରାଶି ବ୍ୟୟବରାଦ କରାଯାଇଥିବାବେଳେ ଜାଗା ଚିହ୍ନଟ ହୋଇପାରୁନଥିବାରୁ ଏହା ନିର୍ମାଣ ହୋଇପାରୁନାହିଁ।ରାଜାରାଜୁଡା ଅମଳର ହସ୍ପିଟାଲ ଗୃହ ଭଙ୍ଗାଦଦରା ଓ ବିପଦସଂକୁଳ ହୋଇପଡିଥିବାବେଳେ ଷ୍ଟାଫ କ୍ୱାର୍ଟର ବି ନାହିଁ। ଅଳ୍ପ ବର୍ଷା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଣ୍ଠୁଏ ପାଣି ଜମିଯାଉଛି। ଷ୍ଟାଫ କ୍ୱାର୍ଟର ନଥିବାରୁ ଷ୍ଟାଫମାନେ ଲେବର ରୁମରେ ରହିବାକୁ ବାଧ୍ୟ ହେଉଛନ୍ତି । ବିଶ୍ୱନାଥପୁରରେ ମଧ୍ୟ ଷ୍ଟାଫ କ୍ୱାର୍ଟର ସମସ୍ୟା ରହିଛି। ସେହିପରି ବଙ୍କାକୁଣ୍ଡରୁସ୍ଥିତ ମା ସନ୍ତୋଷୀ ଜନ କଲ୍ୟାଣ ସଂସ୍ଥାନ ଦ୍ୱାରା ପରିଚାଳିତ ହସ୍ପିଟାଲ ବାଇକ ଆମ୍ବୁଲାନ୍ସ ପରିଚାଳନା କରୁଥିବାବେଳେ ଦୀର୍ଘ ଦିନ ହେଲା ଏହା ଅଚଳ ହୋଇପଡିଛି। ଏଣୁ ବ୍ଲକର ଘାଟି ଅଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ୧୧୨ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି। ଏଣୁ ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ସର୍ବସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ