Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କଳାହାଣ୍ଡି,୨୨/୦୭- ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଆଜି ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶ୍ରୀମତୀ ପରିଡ଼ା ଆଜି ଭବାନୀପାଟଣାରେ ପହଞ୍ଚିବା ପରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ବରିଷ୍ଠ ବିଜେପି ନେତା ମନୋଜ ମେହେର ତଥା ଦଳୀୟ ନେତୃବୃନ୍ଦ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍‌ ଯୋଜନା ଏବଂ ମିଲେଟ୍‌ ଅନ୍‌ ହ୍ୱିଲ୍ସର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ ଧର୍ମଗଡ଼ ବିଧାୟକ ଶ୍ରୀ ପାଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲୋକେଶ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ବ୍ଲକ ସ୍ତରୀୟ ମହାସଂଘର କର୍ମକର୍ତ୍ତା, କମ୍ୟୁନିଟି ସପୋର୍ଟ କର୍ମକର୍ତ୍ତାଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୯ କୋଟି ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପ, ମଦନପୁର- ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳ-ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ ୨୪ଟି ଗ୍ରାମପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ