Odisha Politics: ୨୦୨୯ରେ କଂଗ୍ରେସ ନୁହେଁ, ବରଂ ଓଡିଶା ଜନତା କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବେ ସୋଫିଆ! ବଡ଼ ଦାବି କଲେ ମହମ୍ମଦ ମୋକିମ୍
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ୨୦୨୯ ନିର୍ବାଚନକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କ ବାପା ତଥା ‘ଓଡ଼ିଶା ଜନତା କଂଗ୍ରେସ’ (OJC) ସଭାପତି ମହମ୍ମଦ ମୋକିମ୍ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୯ ବିଧାନସଭା ନିର୍ବାଚନରେ ସୋଫିଆ କଂଗ୍ରେସ ଟିକେଟ୍ରେ ନୁହେଁ, ବରଂ OJC ପକ୍ଷରୁ ବାରବାଟୀ-କଟକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ମୋକିମ୍ କଂଗ୍ରେସର ବର୍ତ୍ତମାନର ସ୍ଥିତି ଓ ନେତୃତ୍ୱକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି। ଦଳର ନୀତି, ଆଦର୍ଶ ଓ ସଂଗଠନ ଦୁର୍ବଳ ହୋଇପଡ଼ିଥିବା ସେ ଅଭିଯୋଗ କରିବା ସହ କଂଗ୍ରେସର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୋକିମ୍ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏପ୍ରିଲ ୨୦୨୬ରେ ‘ଓଡ଼ିଶା ଜନତା କଂଗ୍ରେସ’ ନାମରେ ନୂଆ ଆଞ୍ଚଳିକ ଦଳ ଗଠନ କରିଥିଲେ। ଦଳ ଯୁବପିଢ଼ିକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ଏକ ବିକଳ୍ପ ରାଜନୈତିକ ମଞ୍ଚ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ।
ତେବେ ମୋକିମଙ୍କ ଏହି ଦାବି ଉପରେ ସୋଫିଆ ଫିର୍ଦ୍ଦୋସଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ। ତେଣୁ ୨୦୨୯ରେ ସେ OJCରୁ ନିର୍ବାଚନ ଲଢ଼ିବେ କି ନାହିଁ, ତାହା ତାଙ୍କ ନିଜସ୍ୱ ଘୋଷଣା ପରେ ହିଁ ସ୍ପଷ୍ଟ ହେବ। ତଥାପି ମୋକିମଙ୍କ ଏହି ଦାବି ପରେ ବାରବାଟୀ-କଟକ ସମେତ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

