Urea Poisoning: ଛେଳିଙ୍କ ପାଇଁ ଘାତକ ହେଲା ୟୁରିଆ ସାର, ୧୫ ଛେଳି ମୃତ! ଉଜୁଡ଼ିଗଲା ୬ ପରିବାରର ଜୀବିକା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ତରାଗାଁରେ ଅଭାବନୀୟ ଘଟଣା ଘଟିଛି। ୟୁରିଆ ସାର ଖାଇ ୧୫ଟି ଛେଳିର ମୃତ୍ୟୁ ହୋଇଥିବା ବେଳେ ଆଉ ୫ଟି ଛେଳି ଅସୁସ୍ଥ ହୋଇପଡ଼ିଛନ୍ତି। ଛେଳିପାଳନ ଉପରେ ନିର୍ଭରଶୀଳ ଗରିବ ପରିବାରଗୁଡ଼ିକ ଏହି ଘଟଣାରେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ସହ କ୍ଷତିପୂରଣ ଦେବାକୁ ଦାବି ହୋଇଛି।
ସୂଚନା ଅନୁସାରେ, ତରାଗାଁ ଡଙ୍ଗରପଡ଼ାର ସୁଦାମ ମାଝୀ, ଟଙ୍କଧର ନାଏକ, ଧନମତ ମାଝୀ, ବିପିନ ନାଏକ, ରମେଶ ଧରୁଆ ଓ ଛବିଲାଲ ମାଝୀ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପତରା ଜଙ୍ଗଲ ନିକଟରେ ଛେଳି ଚରାଉଥିଲେ। ନିକଟସ୍ଥ ଏକ କପା ଚାଷ ଜମିରେ ପ୍ରୟୋଗ ହୋଇଥିବା ୟୁରିଆ ସାର ଛେଳିମାନେ ଖାଇଦେଇଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍ ଛେଳିଗୁଡ଼ିକ ଛଟପଟ ହେବାକୁ ଲାଗିଥିଲେ। କିଛି ସମୟ ମଧ୍ୟରେ ୧୫ଟି ଛେଳିର ମୃତ୍ୟୁ ଘଟିଥିଲା। ଅନ୍ୟ ୫ଟି ଛେଳି ଅସୁସ୍ଥ ହୋଇଥିବାରୁ ସେମାନଙ୍କ ଚିକିତ୍ସା ଚାଲିଛି।
ଛେଳିପାଳକମାନଙ୍କ କହିବାନୁସାରେ, ଛେଳିପାଳନ ହିଁ ସେମାନଙ୍କ ପରିବାରର ମୁଖ୍ୟ ଜୀବିକା ଥିଲା। ନୂଆଖାଇ ପୂର୍ବରୁ ଛେଳି ବିକ୍ରି କରି ପର୍ବ ପାଇଁ ଆବଶ୍ୟକ ସାମଗ୍ରୀ କିଣିବାର ଯୋଜନା ଥିଲା। କିନ୍ତୁ ଏହି ଘଟଣା ସେମାନଙ୍କ ଆଶା ଉପରେ ପାଣି ପକାଇଦେଇଛି। ମୃତ ୧୫ଟି ଛେଳିର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଛେଳିପାଳକମାନେ ଦାବି କରିଛନ୍ତି। ଘଟଣା ପରେ ପରିବାରଗୁଡ଼ିକ ପ୍ରଥମେ ଗ୍ରାମର ଭଦ୍ରବ୍ୟକ୍ତି ଓ ଗ୍ରାମରକ୍ଷୀଙ୍କୁ ଜଣାଇଥିଲେ। ପରେ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ସହ ଶୀଘ୍ର କ୍ଷତିପୂରଣ ଓ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

