Grain ATM: ଆଙ୍ଗୁଠି ଟିପିଲେ ମିଳିବ ଚାଉଳ, ରିଟେଲରଙ୍କ ପାଖରେ ଆଉ ଲମ୍ବା ଲାଇନ୍ର ଆବଶ୍ୟକତା ନାହିଁ
ଢେଙ୍କାନାଳ, ୩୧।୮: ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ‘Grain ATM’ ବା ଚାଉଳ ଏଟିଏମ୍ ସେବା। ଏହା ଦ୍ୱାରା ଏଣିକି ହିତାଧିକାରୀଙ୍କୁ ରିଟେଲରଙ୍କ ପାଖରେ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ବାୟୋମେଟ୍ରିକ୍ ମାଧ୍ୟମରେ ଟିପଚିହ୍ନ ଦେଇ ହିତାଧିକାରୀ ନିଜର ପ୍ରାପ୍ୟ ଚାଉଳ ସଂଗ୍ରହ କରିପାରିବେ। ଏହି ଏଟିଏମ୍ରେ ୨୪ ଘଣ୍ଟିଆ ଚାଉଳ ବଣ୍ଟନ ବ୍ୟବସ୍ଥା ରହିଛି।
ଢେଙ୍କାନାଳରେ ରାଜ୍ୟର ତୃତୀୟ Grain ATM ଉଦ୍ଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଦିନରାତି ଚାଉଳ ଯୋଗାଇବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ବାୟୋମେଟ୍ରିକ୍ ମାଧ୍ୟମରେ ଆଧାର ଯାଞ୍ଚ କରିବା ପରେ ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ଏଟିଏମ୍ରୁ ମିଳିପାରିବ। ପୂର୍ବରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ Grain ATM ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।
ଏହି ଚାଉଳ ଏଟିଏମ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମିଳିତ ଭାବେ ପରିଚାଳନା କରିବେ। ଢେଙ୍କାନାଳବାସୀ ଏହି ନୂଆ ସେବାର ସୁଯୋଗ ନେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅନୁରୋଧ କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ, ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ନୂଆ ବ୍ୟବସ୍ଥା ଆରମ୍ଭ ହେବା ପରେ ହିତାଧିକାରୀମାନେ ଖୁସି ପ୍ରକାଶ କରିଛନ୍ତି।

