Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ଥାନାଞ୍ଚଳ ସିରିଜ ଡକାୟତି ଘଟଣା : ବିଜେପି ଯୁବ ମୋର୍ଚ୍ଚା ଉପସଭାପତିଙ୍କ ସମେତ ୭ ଜଣଙ୍କୁ କୋର୍ଟଚାଲାଣ : ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା, ୭୬୯୦ ଗ୍ରାମ ସୁନା ଉଦ୍ଧାର

କଳାହାଣ୍ଡି,୦୨/୦୯-କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବିଶେଷ କରି ନର୍ଲା ଥାନାଞ୍ଚଳରେ କୋକୁଆଭୟ ସୃଷ୍ଟି କରିବା ସହିତ ଏକାଧିକ ଡକାୟତି ଓ ଲୁଟ ଘଟଣାରେ ସମ୍ପୃକ୍ତ ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବା ସହିତ ସେମାନଙ୍କଠାରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା, ୭୬୯୦ ଗ୍ରାମ ସୁନା ଓ ଗୋଟିଏ ହୀରୋ ସ୍ପ୍ଲେଣ୍ଡର ବାଇକ ଉଦ୍ଧାର କରିଛି ପୁଲିସ। ସେହିପରି ଡକାୟତିରେ ବ୍ୟବହୃତ ହୋଇଥିବା ଗୋଟିଏ ହୁଣ୍ଡାଇ ଆଇ ଟେନ କାର ଓ ଗୋଟିଏ ମହିନ୍ଦ୍ରା ଜାଇଲୋ ଗାଡ଼ି ଗୋଟିଏ ୟେଜଦି ମୋଟରସାଇକେଲ ସହିତ ନଅଗୋଟି ସ୍ମାର୍ଟଫୋନ ଜବତ କରାଯାଇଛି। ନର୍ଲା ତଥା ଭବାନୀପାଟଣା ସଦର ଥାନାଞ୍ଚଳରେ ଗତ କିଛି ମାସ ହେଲା ଲଗାତାର ଡକାୟତି ଓ ଲୁଟ ସହିତ ଚୋରି ହେଉଥିବାବେଳେ ଗତ ଅଗଷ୍ଟ ୧୨ ତାରିଖ ଦିନବେଳେ ନର୍ଲା ନିକଟସ୍ଥ ଚିପୁଲ ପୋଲ ପାଖରେ ଦଶଜଣ ମୁଖାଧାରୀ ବ୍ୟକ୍ତି ଜଣେ ବ୍ୟବସାୟୀଙ୍କ ଦୁଇଜଣ କର୍ମଚାରୀଙ୍କୁ ହଠାତ ଆକ୍ରମଣ କରି ୧୮ରୁ ୨୦ ଲକ୍ଷ ଟଙ୍କା ଲୁଟ କରି ଫେରାର ମାରିଥିଲେ। ଏନେଇ ନର୍ଲା ଥାନାରେ ଅଭିଯୋଗ ପରେ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କ ନେତୃତ୍ୱରେ ତଦନ୍ତକାରୀ ଅଧିକାରୀ ଭାବେ ନର୍ଲା ଥାନାଧିକାରୀ କୈବଲ୍ୟ ସେଠଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଚାରିଗୋଟି ଟିମ ଗଠନ କରାଯାଇଥିଲା। ଏହି ସମୟରେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିଶ୍ୱନାଥପୁର ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ତଥା ସିକେରକୁପା ଗ୍ରାମର ସୁଶାନ୍ତ ଗଉଡ଼, ବଲବସପୁର ଗ୍ରାମର ବିକାଶ ଚନ୍ଦ୍ର ସାହୁ, ଅଜିତ କୁମାର ସାହୁ, କାଉଗୁଡା ଗ୍ରାମର ପ୍ରଶାନ୍ତ କୁମାର ଜାଲ, ଲାଞ୍ଜିଗଡ଼ ରୋଡ଼ର ଦେବାଶିଷ ଗଉଡ଼, ସଦର ଥାନା ମେଦିନୀପୁରର ଆର୍ଯ୍ୟନ ନାଏକ, ସିକେରକୁପା ଗ୍ରାମର ପ୍ରଦୀପ ନାଏକଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ତେବେ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ସେମାନଙ୍କୁ ଜେଲ ଯିବାକୁ ପଡ଼ିଛି। ଏନେଇ ନର୍ଲା ଥାନା କେସ ନଂ ୧୬୭/୨୦୨୬ ଭାରତୀୟ ନ୍ୟାୟ ସଂହିତା ୩୧୦(୨) ରେ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ଜଣାପଡ଼ିଛି। ଏନେଇ ଆଜି ସନ୍ଧ୍ୟାରେ ନର୍ଲା ପୁଲିସ ପକ୍ଷରୁ ଏକ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ