Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି:୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ IDCOର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଡି.ପ୍ରଶାନ୍ତ କୁମାର ରେଡ୍ଡୀ ଆଜି ଗଜପତି ଜିଲ୍ଲାକୁ ଦ୍ବିତୀୟ ଗସ୍ତ କରିଛନ୍ତି। ଜିଲ୍ଲାର ଗୋସାଣୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ବୁଥ୍‌ ସ୍ତରୀୟ ଅଧିକାରୀ (BLO)ମାନଙ୍କ ସହ ଆଲୋଚନା କରି SIR-2026 ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ, ଭୋଟର ତାଲିକା ସମ୍ବନ୍ଧୀୟ ପ୍ରକ୍ରିୟା ଏବଂ କ୍ଷେତ୍ର ସ୍ତରୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।ଏହାପରେ SIR-2026ର ‘ସୁପର୍ ଚେକିଂ’ ପ୍ରକ୍ରିୟାର ବିଭିନ୍ନ ବୁଥ ସ୍ତରରେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଭୋଟର ତାଲିକା ସମ୍ବନ୍ଧୀୟ କ୍ଷେତ୍ର ସ୍ତରୀୟ କାର୍ଯ୍ୟ ଓ ଯାଞ୍ଚ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଥିଲେ l ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି SIR-2026 ଅନ୍ତର୍ଗତ ଚାଲିଥିବା କାର୍ଯ୍ୟକଳାପ, ଭୋଟର ତାଲିକା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଓ କ୍ଷେତ୍ର ସ୍ତରରେ ହେଉଥିବା ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହୋନନାଗା ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ଏବଂ ଏସ୍‌ଆଇଆର କାର୍ଯ୍ୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ପର୍ଯ୍ୟବେକ୍ଷକ ଜିଲ୍ଲାରେ ଚାଲିଥିବା ଏସ୍‌ଆଇଆର-୨୦୨୬ କାର୍ଯ୍ୟର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ଏବଂ ଯୋଗ୍ୟ ଭୋଟରମାନଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ ଓ ଶ୍ରୀ ଅମିତ ବିଶ୍ୱାଳ, ସହକାରୀ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories