ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତିଙ୍କ ଇନୋଭା ଦୁର୍ଘଟଣା ଗ୍ରସ୍ତ


କଳାହାଣ୍ଡି : ଅନୁଗୁଳଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ସମାବେଶରେ ଯୋଗଦେଇ ଫେରୁଥିବାବେଳେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡିର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ଇନୋଭା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇନୋଭା ଗାଡ଼ିଟି ଚୂରମାର ହୋଇଯାଇଥିଲାବେଳେ ଶ୍ରୀ ତାଣ୍ଡି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ଅନୁଗୁଳସ୍ଥିତ ଡ. ବି. ଆର୍ ଆମ୍ବେଦକର ଫାଉଣ୍ଡେସନର ଡାକରାରେ ରାଜ୍ୟ ବ୍ୟାପି ବହୁଜନ ସଂଗଠନଗୁଡ଼ିକ ଅନୁଗୁଳଠାରେ ସମ୍ମିଳିତ ହୋଇଥିବାବେଳେ ଏହାକୁ ସମର୍ଥନ କରି ଶ୍ରୀ ତାଣ୍ଡିଙ୍କ ନେତ୍ରୁତ୍ବରେ କଳାହାଣ୍ଡି ଜିଲ୍ଲାରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେଠାରୁ ଶ୍ରୀ ତାଣ୍ଡି ନିଜ ଇନୋଭା ଗାଡ଼ି ( ଓଡି ୦୨ ସିବି ୨୩୦୪)ରେ ନିଜ ଘର ଲାଞ୍ଜିଗଡ଼କୁ ଫେରୁଥିବାବେଳେ ଆଜି ସକାଳୁ ୬ ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣା-ଛତିକୁଡ଼଼ା ରାସ୍ତାର ଉଦେପୁର ନିକଟରେ ରାସ୍ତା ମଝିରେ ଗାଡ଼ି ସାମ୍ନାକୁ ଏକ ବୁଲା କୁକୁର ହଠାତ୍ ଚାଲି ଆସିବାରୁ କୁକୁରଟିକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଗାଡ଼ୱାଲ୍ ତଳକୁ ଖସି ପଡ଼ିଥିଲା । ଏଥିରେ ଗାଡ଼ିଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିବାବେଳେ ଫେଡେରେସନର ସଭାପତି ଶ୍ରୀ ତାଣ୍ଡି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।