ବେଲାମାଳ ଶନି ମନ୍ଦିରରେ ଚୋରି : ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗ
କଳାହାଣ୍ଡି,୦୧/୧୦-ବୁଧବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେଲାମାଳ (ବୁର୍ଡିପଡ଼ା)ସ୍ଥିତ ଶନି ମନ୍ଦିରରୁ ବିଭିନ୍ନ ସାମଗ୍ରୀ ଚୋରି ସହିତ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି। ମନ୍ଦିର ପରିଚାଳନା କମିଟିର ଅଭିଯୋଗ ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଚୋର ପଶି ଶନି ମନ୍ଦିରରେ ଥିବା ଛଅଟି ମୂର୍ତ୍ତିକୁ ଭଙ୍ଗାରୁଜା କରି ୫ଟି ପିତ୍ତଳ ଘଣ୍ଟି, ଇଲେକ୍ଟ୍ରିକ ଆଳତି ବାଜା, ପିତ୍ତଳର ପୂଜା ବାସନକୁସନ, ତ୍ରିଶୂଳ, ଯୋଗଖୁଣ୍ଟ, କୁମ୍ଭ, ଚାଉଳ, ବିଦ୍ୟୁତ ବୋର୍ଡ, ତାର ଆଦି ଚୋରି କରି ନେଇଛନ୍ତି। ଆଜି ସକାଳୁ ମନ୍ଦିର ପୂଜକ ଲକ୍ଷ୍ମଣ ରଣା ପୂଜା କରିବାକୁ ଯିବା ପରେ ମନ୍ଦିରରୁ ଚୋରି ହୋଇଥିବା ନେଇ କମିଟି କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଥିବା ଜଣାପଡିଛି।

