ଅନୁକମ୍ପାରେ ଏମିତିରେ ମିଳିବନି ଚାକିରି, ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନୁକମ୍ପା ଆଧାରରେ ମିଳୁଥିବା ଚାକିରିରେ ଆବଶ୍ୟକତା ଯୋଗ୍ୟତା ରହିବା ଜରୁରୀ। ଏମିତି ନାହିଁ ଯେ, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥାଇ ବି ଆଶାୟୀଙ୍କୁ ଅଧସ୍ତନ ପଦରେ ଚାକିରି ଦେଇ ଦିଆଯିବ। ନିଜର ନିଷ୍ପତ୍ତିରେ ଏହା କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଅନୁକମ୍ପା ଆଧାରରେ ମିଳୁଥିବା ଚାକିରି ଅଧିକାର ନୁହେଁ। ଏଥିପାଇଁ ଯୋଗ୍ୟତା ପୂରା କରିବା ଅନିବାର୍ଯ୍ୟ।
ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଅନୁକମ୍ପା ଆଧାରରେ ମିଳିଥିବା ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଆଶ୍ଵସ୍ତି ଦେବାକୁ ମନା କରିଛନ୍ତି କୋର୍ଟ। ପରିସଂଖ୍ୟାନ ବିଭାଗରେ ଚାଳକ ପିତାଙ୍କ ମୃତ୍ୟୁ ପରେ ଆବେଦନକାରୀ ରେହନଙ୍କୁ କନିଷ୍ଠ ସହାୟକର ଚାକିରି ମିଳିଥିଲା। ବେସିକ କମ୍ପ୍ୟୁଟର ଏବଂ ଟାଇମ୍ପିକର ବିଭାଗୀୟ ପରୀକ୍ଷା ଦେଇ ଜରୁରୀ ନମ୍ବର ରଖିବାକୁ କୁହାଯାଇଥିଲା। ହେଲେ ଆବେଦନକାରୀ ପରୀକ୍ଷାରେ ସର୍ବନିମ୍ନ ନମ୍ବର ବି ରଖି ପାରି ନ ଥିଲେ ଏବଂ ଫେଲ୍ ହୋଇଥିଲେ।
ଏହା ପରେ ତାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଥିଲା। ତଥାପି ସେ ଟାଇପିଂ ଟେଷ୍ଟରେ ଫେଲ୍ ହୋଇଥିଲେ। ଫଳରେ ପରିସଂଖ୍ୟାନ ଅଧିକାରୀ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ। ଏହି ଆଦେଶକୁ ସେ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏବଂ ଅପିଲ୍ କରିଥିଲେ ଯେ, ଯଦି ସେ କନିଷ୍ଠ ସହାୟକ ପଦରେ ଯୋଗ୍ୟ ନାହାନ୍ତି ତେବେ ତାଙ୍କୁ ଚତୁର୍ଥ ଶ୍ରେଣୀରେ ଚାକିରି ଦିଆଯାଉ। ହାଇକୋର୍ଟ ଆବେଦନକାରୀଙ୍କୁ ଗ୍ରେଡ୍ ଡି ପଦରେ ନିଯୁକ୍ତି ଦେବାକୁ ଆଦେଶ ଦେଇଥିଲେ।
ୟୁପି ସରକାର ଏହା ବିରୋଧରେ ଖଣ୍ଡପୀଠରେ ଅପିଲ୍ କରିଥିଲେ ହେଁ କୋର୍ଟ ଆବେଦନ ଖାରଜ କରିଥିଲେ। ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ଉପରୋକ୍ତ ରାୟ ଶୁଣାଇଛନ୍ତି।