Voter ID Cards Found: ମଧ୍ୟପ୍ରଦେଶର ନର୍ମଦା ନଦୀକୂଳରୁ ମିଳିଲା ୩୪୩ ଭୋଟର କାର୍ଡ, FIR ଦାବି କଲା କଂଗ୍ରେସ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ମଣ୍ଡଳେଶ୍ୱର ସହରରେ ରବିବାର ନର୍ମଦା ନଦୀ କୂଳରୁ ୩୪୩ଟି ଭୋଟର ପରିଚୟପତ୍ର ମିଳିବା ପରେ ରାଜନୈତିକ ଚର୍ଚ୍ଚା ବଢ଼ିଛି। ଏହି କାର୍ଡଗୁଡ଼ିକ ନଦୀ କୂଳରେ ପଡ଼ିଥିବା ଅବସ୍ଥାରେ ମିଳିଥିବା ବେଳେ ଘଟଣାରେ FIR ରୁଜୁ କରି ନିରପେକ୍ଷ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ପ୍ରାଥମିକ ସୂଚନା ଅନୁସାରେ, ଏହି ଭୋଟର କାର୍ଡଗୁଡ଼ିକ ପଡ଼ୋଶୀ ଇନ୍ଦୋର ଜିଲ୍ଲାର ରାଉ ବିଧାନସଭା ନିର୍ବାଚନମଣ୍ଡଳୀ ସହ ଜଡ଼ିତ ହୋଇଥାଇପାରେ।
ନଦୀ କୂଳରେ ସଫେଇ ଅଭିଯାନ ଚାଲିଥିବା ସମୟରେ ସ୍ଥାନୀୟ ଲୋକେ ଏହି କାର୍ଡଗୁଡ଼ିକୁ ଦେଖି ସଂଗ୍ରହ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ। ପରେ କାର୍ଡଗୁଡ଼ିକର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଖରଗୋନ ଜିଲ୍ଲା କଂଗ୍ରେସ ସଭାପତି ରବି ନାଏକ ଦଳୀୟ କର୍ମୀଙ୍କ ସହ ମଣ୍ଡଳେଶ୍ୱର ଥାନାରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ। ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
କଂଗ୍ରେସ ପକ୍ଷରୁ ନଦୀରେ ଡାଇଭରଙ୍କ ସହାୟତାରେ ଖୋଜାଖୋଜି କରି ଆଉ ଅଧିକ ଭୋଟର କାର୍ଡ ରହିଛି କି ନାହିଁ ଯାଞ୍ଚ କରିବାକୁ ମଧ୍ୟ ଦାବି ହୋଇଛି। FIR ରୁଜୁ ନହେଲେ ଥାନା ଘେରାଉ କରାଯିବ ବୋଲି ରବି ନାଏକ ଚେତାବନୀ ଦେଇଛନ୍ତି। ଅନ୍ୟପଟେ, ମଣ୍ଡଳେଶ୍ୱରର SDOP ଶ୍ୱେତା ଶୁକ୍ଳା କହିଛନ୍ତି ଯେ ସଫେଇ ଅଭିଯାନ ସମୟରେ କାର୍ଡଗୁଡ଼ିକ ମିଳିବା ପରେ ରାଜସ୍ୱ ବିଭାଗର ଟିମ୍ ସେଗୁଡ଼ିକୁ ଜବତ କରିଛି। ଘଟଣାର ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସହ କଂଗ୍ରେସର ଅଭିଯୋଗ ମଧ୍ୟ ମିଳିଥିବା ସେ ସୂଚନା ଦେଇଛନ୍ତି।

