Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ତେ ଭୟରେ ଅଛନ୍ତି, ବ୍ରିଜଭୂଷଣଙ୍କୁ ଗିରଫ ନ କଲେ ପୁଣି ଥରେ ହେବ ଆନ୍ଦୋଳନ; ବଜରଙ୍ଗଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ପୁଣି ଥରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ବରଜଙ୍ଗ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସକୁ ଚରମ ଚେତାବନୀ ମଧ୍ୟ ଦେଇଛନ୍ତି। ସେ ଶନିବାର କହିଛନ୍ତି ଯଦି ଜୁନ ୧୫ ଭିତରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣ ସିଂଙ୍କୁ ଗିରଫ ନ କରେ ତେବେ ପୁଣି ଥରେ ସେ ଧାରଣାରେ ବସିବେ। ସାକ୍ଷୀ ମଲିକ୍ ମଧ୍ୟ କହିଛନ୍ତି, କୁସ୍ତିଯୋଦ୍ଧାମାନେ ମାମଲାର ତଦନ୍ତ ପୂରା ନ ହେବା ଯାଏଁ ଏସୀୟ କ୍ରୀଡ଼ାରେ ଯୋଗ ଦେବେ ନାହିଁ।

ସୋନିପତରେ ଗତକାଲି ଆୟୋଜିତ ଖାପ ପଞ୍ଚାୟତରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ଯଦି ସରକାର ବ୍ରିଜଭୂଷଣଙ୍କୁ ଜୁନ ୧୫ ସୁଦ୍ଧା ଗିରଫ ନକରେ ତେବେ ଜୁନ ୧୭ରୁ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହେବ। ଏଥର ଆନ୍ଦୋଳନ ଜନ୍ତର ମନ୍ତର କିମ୍ବା ରାମଲୀଳ ମଇଦାନରେ କରାଯିବ। ପୁନିଆ କହିଛନ୍ତି ଯଦି ବ୍ରିଜଭୂଷଣଙ୍କୁ ଗିରଫ କରାନଯାଏ ତେବେ ନାବାଳିକା ପରି ବାକି ଛଅ ଅଭିଯୋଗକାରୀ ମଧ୍ୟ ନିଜର ବୟାନ ବଦଳାଇ ଦେବେ। ବ୍ରିଜଭୂଷଣ ବହୁତ ପ୍ରଭାବଶାଳୀ ବ୍ୟକ୍ତି। ନାବାଳିକାର ବାପା ପୂର୍ବରୁ କହି ସାରିଛନ୍ତି ଯେ, ତାଙ୍କ ଉପରେ ବହୁତ ଚାପ ରହିଛି। ଏମିତି ସ୍ଥିତି ଦେଇ ଅନ୍ୟ ଅଭିଯୋଗକାରୀଙ୍କ ପରିବାରର ମଧ୍ୟ ଗତି କରୁଛନ୍ତି।

ଏହି ମାମଲାରେ ତେବେ ଯାଇ ନ୍ୟାୟ ମିଳିବ ଯେବେ ବ୍ରିଜଭୂଷଣଙ୍କୁ ଗିରଫ କରାଯିବ। କାରଣ ସେ ତଦନ୍ତ ପ୍ରଭାବିତ କରି ପାରନ୍ତି। ଏଥିପାଇଁ ତାଙ୍କୁ ଜେଲରେ ଭର୍ତ୍ତି କରିବା ଜରୁରୀ। ତାଙ୍କ ବିରୋଧରେ ଅଭିଯୋଗ କରିଥିବା କୁସ୍ତିଯୋଦ୍ଧାଙ୍କୁ ଫୋନରେ ଧମକ ଦିଆଯାଉଛି। କେନ୍ଦ୍ର ମନ୍ତ୍ରୀ ଆମକୁ କହିଛନ୍ତି, ପୋଲିସ ବ୍ରିଜଭୂଷଣଙ୍କୁ ତେବେ ଗିରଫ କରିବ ଯେବେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବ। ଆମେ ନିଜେ ପ୍ରମାଣ ଯୋଗାଡ଼ କରୁଛୁ ଏବଂ ଦିଲ୍ଲୀ ପୋଲିସକୁ ଦେଉଛୁ ବୋଲି ବଜରଙ୍ଗ ପୁନିଆ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ